ଧାନରେ ସାଆରା ରୋଗ: ଚାଷୀ ଆତଙ୍କିତ

କର୍ଲାମୁଣ୍ଡା,(ଡି.ଏନ୍‌.ଏ): ୮।୧୨: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଚାଷୀ ଧାନ ଅମଳ ସମୟରେ ‘ସାଆରା’ ରୋଗ ଆକ୍ରମଣ ଯୋଗୁ ଆତଙ୍କିତ ହୋଇଛନ୍ତି। ଚଳିତବର୍ଷ ବ୍ଲକରେ ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମାସରେ ମୋଟ ୧୯୪୦ ମିମି ବର୍ଷା ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଏହା ବ୍ୟତୀତ ମାଟିଆଗୁଣ୍ଡି ପୋକ ଲାଗିଥିଲା। ଚାଷୀ ବହୁ କଷ୍ଟରେ ଫସଲକୁ ରୋଗ ପୋକ ଦାଉରୁ ରକ୍ଷା କରିଥିବା ବେଳେ ଅମଳ ସମୟରେ ‘ସାଆରା’ (ଉଷ୍ଟିଲାଜିନ ଏଡିଆ ଭିରେନ୍ସ)ନାମକ ରୋଗ ଯୋଗୁ ଏବେ ଚିନ୍ତାରେ ପଡ଼ିଛନ୍ତି। ଏହି ରୋଗ ଧାନକେଣ୍ଡାରେ ଲାଗୁଛି। ଫଳରେ ଧାନରୁ ଅଗାଡ଼ି ବାହାରୁଛି। ଧାନର ଓଜନ କମିବା ସହ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି। ବ୍ଲକର ତେରେସିଂହା, ରିଷିଡା, କର୍ଲାମୁଣ୍ଡା, ରିଞ୍ଜା, ସ.ମାଲପଡା, ସାପଲହରା, ଯୋରାଡବରା, ବୋରପଦର ପ୍ରମୁଖ ପଞ୍ଚାୟତରେ ବିଶେଷ ଭାବେ ‘ପୂଜାଧାନ’ ରେ ହିଁ ଏହି ରୋଗ ଦେଖିବାକୁ ମିଳିଛି।