Categories: ଜାତୀୟ

ଧାନର ଏମ୍‌ଏସ୍‌ପି ୬୫ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ,୪।୭: ବିଳମ୍ବିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଯୋଗୁ ଦେଶରେ ଦୃଷ୍ଟିପାତ ହ୍ରାସ ପାଇଥିବାବେଳେ କୃଷକଙ୍କୁ ଆଶ୍ୱସ୍ତ କରିବା ପାଇଁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ତଦନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଧାନ ସମେତ ୧୪ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି। ଧାନର ଏମ୍‌ଏସ୍‌ପି ୩.୭% ବୃଦ୍ଧି କରାଯାଇ କୁଇଣ୍ଟାଲ ପିଛା ୧୮୧୫ ଟଙ୍କା କରାଯାଇଛି। ୨୦୧୮-୧୯ରେ ଧାନର ମୂଲ୍ୟ ୧୭୫୦ ଟଙ୍କା ଥିଲା। ଅର୍ଥାତ୍‌ ୬୫ ଟଙ୍କା ବୃଦ୍ଧି ପାଇଛି। ସେହିପରି ଗ୍ରେଡ୍‌ ଏ ଧାନର ମୂଲ୍ୟକୁ ୧୭୭୦ରୁ ୧୮୩୫ ଟଙ୍କା, ଜୋଓ୍ବାର(ଶଙ୍କର) ମୂଲ୍ୟ ୨୪୩୦ ଟଙ୍କାରୁ ୨୫୫୦ ଟଙ୍କା, ଜୋଓ୍ବାର(ମାଲଡଣ୍ଡି)ର ମୂଲ୍ୟ ୨୪୫୦ ଟଙ୍କାରୁ ୨୫୭୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ବାଜରାର ଏମ୍‌ଏସ୍‌ପି କୁଇଣ୍ଟାଲ ପିଛା ୧୯୫୦ ଟଙ୍କାରୁ ୨୦୦୦ ଟଙ୍କା, ମାଣ୍ଡିଆ ୨୮୯୭ଟଙ୍କାରୁ ୩୧୫୦ ଟଙ୍କା, ମକା ୧୭୦୦ ଟଙ୍କାରୁ ୧୭୬୦ ଟଙ୍କା, ହରଡ ୫୬୭୫ ଟଙ୍କାରୁ ୫୮୦୦ ଟଙ୍କା, ମୁଗ ୬୯୭୫ ଟଙ୍କାରୁ ୭୦୫୦ ଟଙ୍କା, ବିରି ୫୬୦୦ ଟଙ୍କାରୁ ୫୭୦୦ ଟଙ୍କା, ଚିନାବାଦାମ ୪୮୯୦ ଟଙ୍କାରୁ ୫୦୯୦ ଟଙ୍କା, ସୂର୍ଯ୍ୟମୁଖୀ ମଞ୍ଜି ୫୩୮୮ ଟଙ୍କାରୁ ୫୬୫୦ ଟଙ୍କା, ସୋୟାବିନ ୩୩୯୯ ଟଙ୍କାରୁ ୩୭୧୦ ଟଙ୍କା, ରାଶି ୬୨୪୯ ଟଙ୍କାରୁ ୬୪୮୫ ଟଙ୍କା, ନାଇଗର ସିଡ୍‌ ୫୮୭୭ ଟଙ୍କାରୁ ୫୯୪୦ ଟଙ୍କା, କପା(ମଧ୍ୟମ) ୫୧୫୦ ଟଙ୍କାରୁ ୫୨୫୫ ଟଙ୍କା ଏବଂ କପା(ଲମ୍ବା) ୫୪୫୦ ଟଙ୍କାରୁ ୫୫୫୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ସୂଚନା ଦେଇଛନ୍ତି। ତୋମର କହିଛନ୍ତି ଯେ, ବିଳମ୍ବରେ ମୌସୁମୀ ଆସିବା କେବଳ ଚାଷୀଙ୍କ ପାଇଁ ନୁହେଁ, ବରଂ ସରକାରଙ୍କର ମଧ୍ୟ ଚିନ୍ତା ବଢ଼ାଇ ଦେଇଛି। କିନ୍ତୁ ଆଗକୁ ଭଲ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ କୃଷକଙ୍କ କଷ୍ଟ ଲାଘବ କରିବା ପାଇଁ ସରକାର ୧୪ ଖରିଫ ଫସଲର ଏମ୍‌ଏସ୍‌ପି ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର କ୍ୟାବିନେଟ କମିଟି (ସିସିଇଏ)ରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।

Share