ଧାନ ଅମଳରେ ପଞ୍ଜୀକୃତ ଶ୍ରମିକଙ୍କୁ ନିୟୋଜନ ଦାବିକଲା ଚାଷୀ ସଂଗଠନ

ବରଗଡ଼ ଅଫିସ୍‌,୧।୫: ବରଗଡ଼ ଜିଲାରେ ଧାନ ଅମଳ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ମାତ୍ର ଲକ୍‌ ଡାଉନ୍‌ ଯୋଗୁ ଧାନ ଅମଳରେ କୃଷି ଶ୍ରମିକଙ୍କ ଅଭାବ ପରିଲକ୍ଷିତ ହୋଇଛି । ଏଥିପାଇଁ ଚାଷୀ ଧାନ ଅମଳ କରି ନ ପାରି ଚିନ୍ତିତ ହୋଇ ପଡ଼ିଛି । ଏହି କ୍ରମରେ ଶୁକ୍ରବାର ଓଡ଼ିଶା ରାଜ୍ୟ କୃଷକ ସଂଗଠନ ତଥା ବରଗଡ଼, ଅତାବିରା ଅଞ୍ଚଳର ଏକ ଚାଷୀ ପ୍ରତିନିଧି ଦଳ ଜିଲାପାଳ ଅଫିସ ଆସିଥିଲେ । ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ଏକ ସ୍ମାରକପତ୍ର ପ୍ରଦାନ ସହିତ ନିଜ ସମସ୍ୟା ଉପରେ ଜିଲାପାଳଙ୍କୁ ଅବଗତ କରିବେ ବୋଲି ସେମାନେ ମନରେ ଆଶା ବାନ୍ଧିଥିଲେ । ମାତ୍ର ଜିଲାପାଳଙ୍କ ଚ୍ୟାମ୍ବରକୁ କେବଳ ଜଣକୁ ପ୍ରବେଶ ପାଇଁ କୁହାଯାଇଥିଲା । ଫଳରେ ଚାଷୀମାନେ ଜିଲାପାଳଙ୍କ ଅଫିସଙ୍କ ଚ୍ୟାମ୍ବରକୁ ଆଉ ନ ଯାଇ ତାଙ୍କ ବ୍ୟକ୍ତିଗତ ସହାୟକ(ପିଏ)ଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସ୍ମାରକପତ୍ରରେ ସେମାନେ ଉଲ୍ଲେଖିତ କରିଛନ୍ତି, ଲକ୍‌ ଡାଉନ ଯୋଗୁ ଜିଲା ବାହାର ଶ୍ରମିକ କିମ୍ବା ହାର୍ଭେଷ୍ଟର ଡ୍ରାଇଭର ଏଠାକୁ ଆସି ପାରୁ ନାହାନ୍ତି । ପଳରେ ଧାନ ଅମଳ କାର୍ଯ୍ୟ ହୋଇପାରୁ ନାହିଁ । ଅନ୍ୟପଟେ ଜିଲାରେ ଅନେକ ଶ୍ରମିକ ପଞ୍ଜିକୃତ ହୋଇଛନ୍ତି । ଫଳରେ ସେହି ଶ୍ରମିକମାନଙ୍କୁ ଧାନ ଅମଳ କାର୍ଯ୍ୟରେ ନିୟୋଜନ କରାଯାଉ ବୋଲି ସ୍ମାରକପତ୍ରରେ ଦାବି ଉପସ୍ଥାପନ କରାଯାଇଛି । ଚାଷୀ ସଂଗଠନର ଲକ୍ଷ୍ମଣ ପ୍ରଧାନ, ଏକାଦଶିଆ ସାହୁ, କିଶୋର ଦେବତା, ସୁରେଶ ନେକାଣ୍ଟି, ତରଣୀ ସାହୁ ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିବାକୁ ଆସିଥିଲେ ।

Share