ଧାନ ଅମଳ ସମୟରେ ଝିପିଝିପି ବର୍ଷା: ଚାଷୀ ମନରେ ଛନକା

ବନ୍ତ,୨୭।୧୨(ସ୍ବ.ପ୍ର.)-ଏବେ ଚଳିତବର୍ଷ ଖରିଫ୍‌ ଧାନ ଅମଳ ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ ଝିପିଝିପି ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀ ମନରେ ଛନକା ପଶିଛି। ବର୍ଷାର ପରିମାଣ ବଢ଼ିଲେ ବିଲ ଓ ଖଳାରେ ରଖିଥିବା ଅମଳ ହେବା ପାଇଁ ଥିବା ପାଚିଲା ଧାନ ନଷ୍ଟ ହେବାର ଆଶଙ୍କା ପ୍ରକାଶ କରିଛନ୍ତି ଚାଷୀ। କିଛିଦିନ ତଳେ ଧାନ ପାଚିବା ସମୟରେ ବାତ୍ୟା ବୁଲ୍‌ବୁଲ୍‌ ଯୋଗୁ ପାଣିରେ ଧାନକେଣ୍ଡା ପଡ଼ି ଅଧିକାଂଶ ଜମିରେ ଫସଲ ନଷ୍ଟ ହୋଇଥିଲା। ଏବେ ପୁଣି ଝିପିଝିପି ବର୍ଷା ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ବୋଲି ବନ୍ତ ଅଞ୍ଚଳର କେତେକ ଚାଷୀ କହିଛନ୍ତି।
ଗୁରୁବାର ସକାଳଠାରୁ ଆକାଶ ମେଘାଚ୍ଛନ୍ନ ରହିଥିବାବେଳେ ଅପରାହ୍ନ ୪ଟା ବେଳକୁ ବର୍ଷା ଆରମ୍ଭ ହୋଇଥିଲା। ବର୍ଷାରୁ ନିଜ ଅମଳ ଧାନକୁ ସୁରକ୍ଷିତ ରଖିବା ପାଇଁ ଚାଷୀମାନେ ବିଲରେ କଟା ହୋଇପଡ଼ିଥିବା ଧାନକୁ ଗଦା କରି ରଖିଥିବାବେଳେ ଖଳାରେ ଥିବା ଧାନକୁ ପାଲ ଘୋଡ଼ାଇ ରଖିଛନ୍ତି। କେତେଜଣ ଚାଷୀ ବର୍ଷାରେ ଓଦା ହୋଇ ବିଲରୁ ଖଳାକୁ ଧାନ ବୋହି ନେଉବାର ଦେଖିବାକୁ ମିଳିଥିଲା। ଧାନରେ ପାଣି ଲାଗି ଓଦା ହେବା ପରେ ବିକ୍ରିରେ ସମସ୍ୟା ହେବା ସହିତ ଧାନ ଗଜା ହେବାର ଆଶଙ୍କା ରହିଛି। ମାଟି ଓଦା ହେବାରୁ କଟା ହେବାକୁ ଥିବା ଜମିରେ ହାରଭେଷ୍ଟର ମେଶିନ ପଶିପାରିବନି। ଫଳରେ ଧାନ ଅମଳ ଆହୁରି ବିଳମ୍ବ ହେବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ବହୁ ପରିଶ୍ରମରେ ଉପାର୍ଜିତ ଫସଲ ଅମଳରେ ପ୍ରାକୃତିକ ବିପର୍ଯ୍ୟୟ ବାରମ୍ବାର ଦାଉ ସାଧୁଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।