ଧାନ ଏମ୍‌ଏସ୍‌ପି ବଢ଼ିଲାନି: ଗହମ ୮୫, ଡାଲି ୩୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ,୨୪ା୧୦: କେନ୍ଦ୍ର ସରକାର ୨୦୧୯-୨୦ ଅମଳ ବର୍ଷ ଲାଗି ଗହମ, ଡାଲି ଓ ଅନ୍ୟାନ୍ୟ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରିଥିଲାବେଳେ ଧାନ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। କୃଷକମାନଙ୍କ ଆୟ ବୃଦ୍ଧି ଲାଗି ସରକାର ରବି ଫସଲର ଏମ୍‌ଏସ୍‌ପି ବଢ଼ାଇଥିଲାବେଳେ ଧାନଚାଷୀ ନିରାଶ ହୋଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ କମିଟି (ସିସିଇଏ) ବୈଠକ ବସି ଗହମ କୁଇଣ୍ଟାଲ ପିଛା ସହାୟକ ମୂଲ୍ୟ ୮୫ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଗହମ ଏମ୍‌ଏସ୍‌ପି ୧୯୨୫ ଟଙ୍କା ହୋଇଛି। ସେହିପରି ଡାଲି ଏମ୍‌ଏସ୍‌ପି ୩୨୫ ଟଙ୍କା ବଢ଼ିଛି। ଏହିସବୁ ଫସଲର ସହାୟକ ମୂଲ୍ୟ ବୃଦ୍ଧି ଲାଗି ସରକାରଙ୍କ କୃଷି ଉତ୍ପାଦନ ମୂଲ୍ୟ ଉପଦେଷ୍ଟା କମିଟି (ସିଏସିପି) ସୁପାରିସ କରିଥିଲା।
ମୁଖ୍ୟ ରବି ଫସଲ ଗହମ ଏମ୍‌ଏସ୍‌ପି ଗତବର୍ଷ ୧୮୪୦ ଟଙ୍କା ଥିଲାବେଳେ ଏଥର ୧୯୨୫ ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ବାର୍ଲି ଏମ୍‌ଏସ୍‌ପି ୮୫ ଟଙ୍କା ବୃଦ୍ଧି ପାଇ କୁଇଣ୍ଟାଲ ପ୍ରତି ଦାମ୍‌ ୧୫୨୫ ଟଙ୍କା ହୋଇଛି। ଡାଲି ଉତ୍ପାଦନ ବୃଦ୍ଧି ଲାଗି ଚାଷୀଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ମସୁର ଡାଲିର ଏମ୍‌ଏସ୍‌ପି ସର୍ବାଧିକ ୩୨୫ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ସରକାର ଚଳିତ ବର୍ଷ କୁଇଣ୍ଟାଲ ୪୮୦୦ ଟଙ୍କାରେ ମସୁର କିଣିବେ। ଗତବର୍ଷ ଏହା ୪୪୭୫ ଟଙ୍କା ଥିଲା। ସେହିପରି ମୁଗ ଡାଲି ଏମ୍‌ଏସ୍‌ପି ୨୫୫ ଟଙ୍କା ବୃଦ୍ଧି ପାଇ ୪୮୭୫ ଟଙ୍କା ହୋଇଛି। ତୈଳବୀଜ ମଧ୍ୟରେ ସୋରିଷର ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୨୫ ଟଙ୍କା ବୃଦ୍ଧି ପାଇ ୪୪୨୫ ଟଙ୍କା ହୋଇଥିଲାବେଳେ ସୂର୍ଯ୍ୟମୁଖୀ ଏମ୍‌ଏସ୍‌ପି ୨୭୦ ଟଙ୍କା ବଢ଼ି ୫୨୧୫ଟଙ୍କା ହୋଇଛି। ଏମ୍‌ଏସ୍‌ପି ବୃଦ୍ଧି ଦ୍ୱାରା ଚାଷୀଙ୍କୁ ହାରାହାରି ଉତ୍ପାଦନ ଖର୍ଚ୍ଚର ଦେଢ଼ଗୁଣ ମିଳିବ। ଏନେଇ ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିଲା।

Share