ଧାନ କାଟିବାକୁ ଆସିଥିବା ନାବାଳିକାଙ୍କୁ ବଳାତ୍କାର

ଖଇରା, ୭।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ଥାନା ପଳସା ପଞ୍ଚାୟତ ଅଧୀନ ନଛିପୁର ଗ୍ରାମକୁ ଧାନ କାଟିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଖଇରା ପୋଲିସ ଜଣେ ଯୁବକଙ୍କୁ ଶନିବାର ଅଟକ ରଖି ପଚରାଉଚୁରା କରୁଛି। ଏ ସମ୍ପର୍କରେ ଉକ୍ତ ନାବାଳିକାଙ୍କ ଦାଦା ଖଇରା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା(ନଂ.୨୫୫/୧୯) ରୁଜୁ କରି ପ୍ରାଥମିକ ତଦନ୍ତ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଅଭିଯୋଗ ଅନୁଯାୟୀ, ଉକ୍ତ ନାବାଳିକା ଜଣକ ଧାନ କାଟିବାକୁ ଆସି ନଛିପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ରହୁଥିଲେ। ଅଟକ ଥିବା ଯୁବକଜଣକ ସେମାନଙ୍କ ସହ ରହି କାମ କରୁଥିଲେ। ନଭେମ୍ବର ୩୦ ତାରିଖ ବିଳମ୍ବିତ ରାତିରେ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରାଯାଇଥିଲା। ନାବାଳିକା ଜଣକ ଭୟରେ କଥା ଲୁଚାଇ ରଖିଥିବା ବେଳେ ଶୁକ୍ରବାର ଦାଦା ଆଗରେ ପ୍ରକାଶ କରିଥିଲେ। ସୋମବାର ଡାକ୍ତରୀମାଇନା ପରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଆଇଆଇସି ଲୋପାମୁଦ୍ରା ନାୟକ କହିଛନ୍ତି।