ଧାନ ତଳି ଉପରେ ୨ ଫୁଟର ପାଣି

ପଦ୍ମପୁର, ୫।୭ (ଡି.ଏନ.ଏ.) – ବିଳମ୍ବିତ ମୌସୁମୀ ବର୍ଷା ପରେ ନଦୀ ଜଳ ଏବେ ଚାଷୀଙ୍କ ପାଇଁ କାଳ ସାଜିଛି। ଭଦ୍ରକ ବ୍ଲକ ସାହାଡ଼ା ପଞ୍ଚାୟତର ଧରମସରଣବିନ୍ଧା, ସାହାଡା ହରିପୁର, ବାସୁଦେବପୁର ବ୍ଲକ ସୁଗୋ ପଞ୍ଚାୟତର କୁସୁନବିନ୍ଧା, କାଞ୍ଜିଖିଆ, ସୁଗୋ, ପଦ୍ମପୁର ପଞ୍ଚାୟତର କପାଗଡିଆ, ସନନ୍ଦପୁର, ପଦ୍ମପୁର, ସର୍ତ୍ତରପୁର, ଏଡତାଳ ପଞ୍ଚାୟତ, ଲୁଙ୍ଗା ପଞ୍ଚାୟତର ବଡକିଆରି, ମୌଜୁଡି, ଜଗନ୍ନାଥପ୍ରସାଦ ପଞ୍ଚାୟତର ଦଧିବାମନପୁର, ସୁନାଭୁଇଁ, ଡାଙ୍ଗମାଳ ଓ ବନ୍ଧସାହି ଅଞ୍ଚଳର ଚାଷୀଙ୍କ ଚାଷଜମିରେ ଧାନ ତଳି ଉପରେ ଏବେ ୨ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ମୌସୁମୀ ବର୍ଷା ପରେ କଞ୍ଚୁଡି, ଧଳା ଓ ମନ୍ତେଈ ନଦୀର ଜୁଆର ଉଠି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପାଣି ଆଉ ଦୁଇଦିନ ରହିଲେ ସମସ୍ତ ଧାନ ତଳି ପଚି ନଷ୍ଟ ହୋଇଯିବାର ଆଶଙ୍କା ରହିଛି। ଅନ୍ୟପକ୍ଷେ ବନ୍ୟା ଓ ଜୁଆର ଜଳକୁ ନିୟନ୍ତ୍ରଣ ପାଇଁ ମେଳକସାହିଠାରେ ନିର୍ମିତ ସ୍ଲୁଇସ୍‌ ଗେଟ୍‌ରେ ଝାଞ୍ଜିବୋର ଜମି ଜଳ ନିଷ୍କାସିତ ହୋଇପାରୁ ନାହିଁ ବୋଲି ପଦ୍ମପୁର ସମିତିସଭ୍ୟ ବନଜ କୁମାର ମହାପାତ୍ର କହିଛନ୍ତି। ପ୍ରତିବର୍ଷ ଏହି ସମସ୍ୟା ଯୋଗୁ ଅଞ୍ଚଳର ଚାଷୀମାନେ ବ୍ୟାପକ କ୍ଷତି ସହୁଥିଲେ ମଧ୍ୟ ସରକାରଙ୍କ ତରଫରୁ କୌଣସି ପ୍ରତିକାର କରାଯାଉ ନ ଥିବା ଅଭିଯୋଗ ହେଉଛି। ତୁରନ୍ତ ଏ ନେଇ କୌଣସି ପଦକ୍ଷେପ ନିଆ ନ ଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚାଷୀମାନଙ୍କ ପକ୍ଷରୁ ଦେବେନ୍ଦ୍ର ନାୟକ, ରମାକାନ୍ତ ବିଶ୍ୱାଳ, ବିପିନ ବିହାରୀ ମଳିକ, ରତ୍ନାକର ନାୟକ, ଜୟନ୍ତ କୁମାର ନାୟକ, ଚିନ୍ତାମଣି ବଳ ପ୍ରମୁଖ ଚେତାବନୀ ଦେଇଛନ୍ତି।

Share