ଧାନ ବିକା ପାଉଣା ନ ପାଇ ଚାଷୀ ହତାଶ: ସମିତି ଫାଟକରେ ତାଲା ପକାଇ ଆନ୍ଦୋଳନ

ଭଣ୍ଡାରିପୋଖରୀ, ୧୮ା୯(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ବ୍ଲକରେ ଧାନ ବିକି ଗତ ଏପ୍ରିଲ ମାସରୁ ୩୭ ଜଣ ଚାଷୀ ଏଯାଏ ବକେୟା ପ୍ରାପ୍ୟ ପାଇ ନାହାନ୍ତି। ୨୧୦୦ କୁଇଣ୍ଟାଲ ଧାନ ବିକ୍ରି ସଂକ୍ରାନ୍ତ ତଥ୍ୟ ସରକାରୀ ୱେବ୍‌ସାଇଟ୍‌ରେ ଦେଖିବାକୁ ମିଳୁ ନାହିଁ ା ବାରମ୍ବାର ପ୍ରତିବାଦ, ଆନ୍ଦୋଳନ କରି ପ୍ରାପ୍ୟ ନ ପାଇବାରୁ ଚାଷୀମାନେ ସରସଦା ପ୍ରାଥମିକ କୃଷି ସମବାୟ ସମିତିକୁ ଦୁଇଦିନ ହେବ ତାଲା ପକାଇ ରଖିଛନ୍ତି। ସେମାନେ ସମିତି ଆଗରେ ମଙ୍ଗଳବାର ହୋହଲ୍ଲା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନ କିଣିଥିବା ମିଲର ଓ ସମିତି କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ବୟ ନ ଥିବା କାରଣରୁ ଏହି ସମସ୍ୟା ଜଟିଳ ରୂପ ନେଇଥିବା କୁହାଯାଇଛି।
ଧାନ ବିକି ପ୍ରାପ୍ୟ ପାଇ ନ ଥିବା ଚାଷୀମାନେ ଦର୍ଶାଇଛନ୍ତି ଯେ, ବ୍ୟବସ୍ଥାଗତ ତ୍ରୁଟି ଯୋଗୁଁ ସେମାନଙ୍କୁ ପାଉଣା ମିଳି ପାରି ନାହିଁ ା ପୂର୍ବରୁ ସେମାନେ ା ତିନିଥର ସମିତିରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଏହାମଧ୍ୟରେ ୪୭ ଜଣ ଚାଷୀ ପ୍ରାପ୍ୟ ପାଇଥିବା ବେଳେ ଆହୁରି ୩୭ ଚାଷୀ ଏହା ପାଇ ନାହାନ୍ତି। ଏଣୁ ପ୍ରତିବାଦ ସ୍ବରୂପ ସେମାନେ ସୋମବାର ସମିତି ଫାଟକରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ମଙ୍ଗଳବାର ୨ୟ ଦିନରେ ମଧ୍ୟ ତାଲା ପକାଇଛନ୍ତି। ଯେଉଁ ୨୧୦୦ କୁଇଣ୍ଟାଲ ଧାନ ବିକ୍ରି ତଥ୍ୟ ସରକାରୀ ୱେବ୍‌ସାଇଟ୍‌ରେ ଦେଖିବାକୁ ମିଳୁନି ତାହା ପ୍ରାୟ ୪୩ ଜଣ ଚାଷୀଙ୍କର ବୋଲି ଜଣାପଡିଛି। କୌଶଳକ୍ରମେ ବିଭାଗୀୟ ଅଧିକାରୀ ଏକ୍ଷେତ୍ରରେ ହେରଫେର କରିଥିବା ଚାଷୀମାନେ ସନ୍ଦେହ ପ୍ରକାଶ କରୁଛନ୍ତି। ବ୍ଲକ ଅଧୀନ ଅନ୍ୟ ସମବାୟ ସମିତିର ଚାଷୀ ଧାନ ବିକ୍ରି ବାବଦ ପାଉଣା ପାଇସାରିଥିବା ବେଳେ ଏହି ସମିତିରେ ଧାନ ବିକି ଭେଣ୍ଡର ରସିଦ୍‌ ପାଇଥିବା ଚାଷୀ ଅର୍ଥ ପାଇ ନ ପାରିବା ଏକ ବିଡମ୍ବନା । ଏ ସମ୍ପର୍କରେ ସମିତି ସମ୍ପାଦକ ଅଜୟ ବେହେରାଙ୍କୁ ପଚାରିବାରୁ କହିଛନ୍ତି, ଯେଉଁମାନେ ଭେଣ୍ଡର ରସିଦ ପାଇଛନ୍ତି ସେମାନେ ପାଉଣା ପାଇଗଲେଣି। ଯେଉଁ ଚାଷୀଙ୍କର ପ୍ରାପ୍ୟ ବାକି ଅଛି, ସେମାନଙ୍କୁ ଶୀଘ୍ର ମିଳିଯିବ। ଯେଉଁ ୨୧୦୦ କୁଇଣ୍ଟାଲ ଧାନର ହିସାବ ମିଳୁ ନ ଥିବା କଥା ଉଠୁଛି ଚାଷୀମାନେ ସେହି ଧାନ ମିଲରକୁ ଦେଇଛନ୍ତି। ମିଲର ସେମାନଙ୍କୁ ପାଉଣା ଦେବ। ସମିତିରେ ତାଲା ପକାଇଲେ ଆମେ କଣ କେଉଁଠୁ ଆଣି ଦେବୁ ବୋଲି ସେ କହିଥିଲେ।