ଧାନ ବିକିବାକୁ ଆଧାର ବାଧ୍ୟତାମୂଳକ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ରାଶନ କାର୍ଡ ପରେ ଏବେ ଚାଷୀ ପଞ୍ଜୀକରଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀ ଧାନ ବିକ୍ରି କରିବେ ସେମାନେ ନାମ ପଞ୍ଜୀକରଣ ବେଳେ ଆଧାର କାର୍ଡ ଦେବେ। ଏହାଦ୍ୱାରା ଚାଷୀ ପଞ୍ଜୀକରଣରେ ଜାଲିଆତି ହୋଇପାରିବ ନାହିଁ। ବିଗତ ବର୍ଷଗୁଡ଼ିକରେ ଯେକୌଣସି ପରିଚୟ ପତ୍ର ଦେଖାଇ ଚାଷୀ ନାମ ପଞ୍ଜୀକରଣ କରୁଥିଲେ। କେବଳ ସେତିକି ନୁହେଁ ଧାନ କିଣା ଆରମ୍ଭଠାରୁ ପଞ୍ଜୀକୃତ ଚାଷୀଙ୍କ ନାମକୁ ପରବର୍ତ୍ତୀ ବର୍ଷରେ ସାମିଲ କରାଯାଉଥିଲା। ଅନ୍ୟ ଅର୍ଥରେ କହିବାକୁ ଗଲେ କେବଳ ଚାଷୀଙ୍କ ନାମ ନବୀକରଣ ହେଉଥିଲା। ଚଳିତ ଖରିଫ୍‌ ଋତୁଠାରୁ ନବୀକରଣ ବ୍ୟବସ୍ଥା ଉଚ୍ଛେଦ କରାଯାଇ ନୂତନ ନାମ ପଞ୍ଜୀକରଣ ଆରମ୍ଭ ହୋଇଛି। ଚାଷୀମାନେ ନିକଟସ୍ଥ ପ୍ରାଥମିକ ସମବାୟ ସମିତି, ଲ୍ୟାମ୍ପ୍‌ସ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ପାଣି ପଞ୍ଚାୟତରେ ଆଧାର କାର୍ଡ ଓ ଜମି ପଟ୍ଟା ଦେଇ ନାମ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି। ସେପ୍ଟେମ୍ବର ୧୦ ତାରିଖରେ ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ଶେଷ ଦିବସ ଘୋଷଣା କରାଯାଇଥିଲା । ତେବେ ଏହି ଅବଧିକୁ ଆସନ୍ତା ସପ୍ତାହେ (୧୭ ତାରିଖ) ଯାଏ ବୃଦ୍ଧି କରାଯାଇଛି। ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଙ୍ଗଳବାର ଘୋଷଣା କରିଛନ୍ତି।

Share