ଧାନ ବିକ୍ରି କରିପାରୁନି ଚାଷୀ: ସମବାୟ ସମିତି ସମ୍ମୁଖରେ ଧାରଣା

ଓପଦା, ୧୧।୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ସଦର ତଳକିଆ ପଞ୍ଚାୟତର ତଳକିଆ ସେବା ସମବାୟ ସମିତି ସରକାରୀ ମଣ୍ଡିରେ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଥିବା ଚାଷୀମାନେ ସୋମବାର ସରକାରୀ ବ୍ୟବସ୍ଥାକୁ ଦାୟୀ କରି ଟୋକନ ଦାବି କରି ସମୂହ ଧାରଣାରେ ବସିଥିଲେ। ଧାରଣାରତ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ସମ୍ପାଦକ ଅଜୟ ପଟ୍ଟନାୟକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସମିତି କାର୍ଯ୍ୟାଳୟକୁ କିଛି ସମୟ ପାଇଁ ତାଲା ପକାଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧାରଣାସ୍ଥଳକୁ ଆସିବାକୁ ଦାବି କରିଥିଲେ। ଖବର ପାଇ ଔପଦା ବ୍ଲକ ସାଧାରଣ ବଣ୍ଟନ ଓ ଯୋଗାଣବିଭାଗ ଅଧିକାରିଣୀ ଏଲିନା ସାହୁ ପହଞ୍ଚତ୍ ଚାଷୀମାନଙ୍କୁ ବୁଝାଶୁଝା କରାଇ ପଞ୍ଜୀକୃତ ସମସ୍ତ ଚାଷୀଙ୍କର ଧାନ କିଣାଯିବ ଓ ଅନଲାଇନ୍‌ରେ ଯେଉଁମାନଙ୍କ ଟୋକନ ଆସିଛି ସେମାନେ ଧାନ ବିକ୍ରୟ କରୁଛନ୍ତି। ସରକାରୀ ବ୍ୟବସ୍ଥା ଅନୁସାରେ ଆମ ହାତରେ କୌଣସି କ୍ଷମତା ନାହଁି ବୋଲି କହିଥିଲେ। ଏହାପରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ଜଣେ ଚାଷୀ ଦୁଇ ତିନିଥର କରି ୧୦୦ କୁଇଣ୍ଟାଲ ଧାନ ମଣ୍ଡିରେ ବିକ୍ରୟ କରିଥିବା ବେଳେ ଜଣେ ଜଣେ ଚାଷୀଙ୍କର ଥରେ ବି ପାଳି ପଡ଼ିନି କାହଁିକି ବୋଲି ଓଲଟି ପ୍ରଶ୍ନ କରିଥିଲେ। ଏ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଦୃଷ୍ଟିକୁ ଅଣାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଅଧିକାରିଣୀ ସାହୁ କହିଥିଲେ।
ଧାରଣାରତ ଚାଷୀମାନେ ବିନୟ କୁମାର ପଟ୍ଟନାୟକ, ଅରୁଣ କୁମାର ପ୍ରଧାନ, ବ୍ରହ୍ମାନନ୍ଦ ସ୍ବାଇଁ, ଭୀମସେନ ସେଠୀ, ଗଜେନ୍ଦ୍ର ପ୍ରସାଦ ନାୟକ, ଉପେନ୍ଦ୍ର ସ୍ବାଇଁଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଯୋଗାଣବିଭାଗ ଅଧିକାରିଣୀଙ୍କ ଜରିଆରେ ଔପଦା ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିଲା। ଆସନ୍ତା ୭ଦିନ ମଧ୍ୟରେ ଧାନ ବିକ୍ରୟ ସମସ୍ୟା ସମାଧାନ ନ କଲେ ଚାଷୀମାନେ ସମୂହ ଧାରଣା ଦେବା ସହ ସରକାରୀ ମଣ୍ଡିରେ ଧାନ କିଣା ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ଚେତାବନୀ ଦେଇଛନ୍ତି।
ଏ ବିଷୟରେ ଯୋଗାଣ ଅଧିକାରିଣୀ ଓ ସମବାୟ ସମିତି ସମ୍ପାଦକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସମୁଦାୟ ୬୩୪ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୪୪୮ ଚାଷୀ ଟୋକନ ପାଇଛନ୍ତି। ଅନ୍ୟମାନେ ଖୁବ୍‌ଶୀଘ୍ର ଧାନ ବିକ୍ରୟ ପାଇଁ ଟୋକନ ପାଇଯିବେ। ଏହି ଧାରଣାରେ ସେବା ସମବାୟ ସମିତି ସଭାପତି ସନାତନ ସେଠୀଙ୍କ ସହ ଅନ୍ୟ ସଭ୍ୟମାନେ ସାମିଲ ହୋଇଥିଲେ।

Share