ହିଞ୍ଜିଳିକାଟୁ,୨୩।୧୨(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ରାଳବ ଗାଁରେ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଖରିଫ ଋତୁରେ ଧାନ ସଂଗ୍ରହ ପାଇଁ ଧାନ ମଣ୍ଡି ଖୋଲିବାକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହୋଇଛି। ରାଳବ ଆରଏମସି ମାକେର୍ଟ ୟାର୍ଡ ମଧ୍ୟରେ ଭଳିବଲ ଖେଳୁଥିବା ଖେଳାଳିମାନେ ଉକ୍ତ ସ୍ଥାନରେ ମଣ୍ଡି ଖୋଲିବାକୁ ବିରୋଧ କରି ସୋମବାର ସନ୍ଧ୍ୟାରେ ହିଞ୍ଜିଳିକାଟୁ ଆରଏମସି ଅଫିସ ସାମ୍ନାରେ ଧାରଣାରେ ବସିଛନ୍ତି। ଭଲି ଖେଳାଳିଙ୍କ ଯୁକ୍ତି ହେଲା ସେମାନେ ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନରେ ଖେଳୁଛନ୍ତି। ପଡିଆ ସମତୁଲ ଇତ୍ୟାଦି ଖର୍ଚ୍ଚ କରିଛନ୍ତି। ସେମାନଙ୍କୁ ନ ଜଣାଇ ଆର୍ଏମସି କର୍ତ୍ତୃପକ୍ଷ ସେଠାରେ ଧାନ ମଣ୍ଡି ଖୋଲିବାକୁ ବାଉଁଶ ଇତ୍ୟାଦି ଭିଡୁଛନ୍ତି। ଅନ୍ୟତ୍ର ଏହାକୁ ନ ଘୁଞ୍ଚାଇଲା ପର୍ଯ୍ୟନ୍ତ ସେମାନେ ଧାରଣା ଦେବେ ବୋଲି କହିଛନ୍ତି। ମାର୍କଣ୍ଡ ପାଣିଗ୍ରାହୀଙ୍କ ସମେତ ରାଳବ ଗାଁର ବହୁ ଯୁବକ ଧାରଣାରେ ବସିଛନ୍ତି। ଅନ୍ୟ ପକ୍ଷରେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ରାଳବ ଓ ନନ୍ଦିକ ପଞ୍ଚାୟତ ନିମନ୍ତେ ନନ୍ଦିକ ପ୍ରାଥମିକ ସେବା ସମିତି ଜରିଆରେ ଏକ ଧାନ ମଣ୍ଡି ଖୋଲିବାକୁ ଆର୍ଏମସି ହିଞ୍ଜିଳିକାଟୁ ପକ୍ଷରୁ ପ୍ରୟାସ କରାଯାଇଛି। ରାଳବଠାରେ ଆରଏମସି ମାକେର୍ଟ ୟାର୍ଡ ରହିଛି ତେଣୁ ଚାଷୀଙ୍କ ସୁବିଧା ଓ ଧାନ ମଣ୍ଡି ସମୟରେ ଧାନର ସୁରକ୍ଷା ପାଇଁ ଉକ୍ତ ସ୍ଥାନଟି ଉପଯୁକ୍ତ ହେବ। ସେଥିପାଇଁ ଧାନ ମଣ୍ଡି ଖୋଲିବାକୁ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଥିଲା ବୋଲି ଆରଏମସି କର୍ମଚାରୀ ସଞ୍ଜୟ ପଣ୍ଡା କହିଛନ୍ତି। ଖବର ଲେଖା ସୁଦ୍ଧା ଯୁବକମାନେ ଧାରଣରୁ ଉଠି ନାହାନ୍ତି। ଧାରଣାରେ ବସିଥିବା ଯୁବକ ମାନଙ୍କ ସହ ଆର୍ଏମସି କର୍ମଚାରୀ ଆଲୋଚନା କରୁଛନ୍ତି।