ଧାମରାରେ ଧରା ହେଲା ହ୍ବେଲସାର୍କ

ଚାନ୍ଦବାଲି, ୨୫।୯ (ଡି.ଏନ.ଏ.): ଭଦ୍ରକ ଜିଲା ଧାମରା ମତ୍ସ୍ୟ ପୋତାଶ୍ରୟ ଅଧୀନରେ ଥିବା ଚନ୍ଦନିପାଳ ମାଛଧରା ବେସ୍‌ରୁ ବୁଧବାର ଏକ ବିରଳ ମାଛ ଧରା ହୋଇଛି। ଏହାର ନାମ ହ୍ବେଲସାର୍କ ହୋଇଥିବା ବେଳେ ଓଜନ ୧ କୁଇଣ୍ଟାଲରୁ ଅଧିକ। ଏହାକୁ ଲକ୍ଷାଧିକ ଟଙ୍କାରେ ନିଲାମ କରାଯାଇଛି। ରାଜ୍ୟ ବାହାରର ଜଣେ ବ୍ୟବସାୟୀ ଏହାକୁ ନିଲାମ ଧରିଥିବା କୁହାଯାଉଛି। କିନ୍ତୁ ତାହା ଠିକ୍‌ କି ନୁହେଁ ସ୍ପଷ୍ଟ ଜଣାପଡ଼ିନାହିଁ। କାରଣ  ଏହାକୁ ଧରିଥିବା ମତ୍ସ୍ୟଜୀବୀ ସମୁଦ୍ରରେ ଛାଡି ଦେଇଥିବା କହିଛନ୍ତି।
ସମୁଦ୍ର ମଧ୍ୟକୁ ମାଛ ଧରିବାକୁ ଯାଇଥିବା ଏକ ବୋଟ୍‌ର ଧୀବରମାନେ ବୁଧବାର ଚନ୍ଦନିପାଳ ମାଛଧରା ଜେଟି(ବେସ୍‌)କୁ ଫେରିଆସିଥିଲେ। ସେମାନଙ୍କ ଜାଲରେ ଏହି ବିଶାଳ ମାଛ ଛନ୍ଦି ହୋଇପଡ଼ିଥିବା ଦେଖି ୧୦ ମତ୍ସ୍ୟଜୀବୀଙ୍କ ସହାୟତାରେ ପାଣିରୁ ବୋଟ ଉପରକୁ ଅଣାଯାଇଥିଲା। ପୂର୍ବରୁ ଧାମରା ଅଞ୍ଚଳରେ ଏପରି ମାଛ କେବେ ଧରା ହୋଇଥିବା ନଜିର ନାହିଁ ବୋଲି ମତ୍ସ୍ୟଜୀବୀ କହିଛନ୍ତି। ତେବେ ଚନ୍ଦନିପାଳରେ ଏଭଳି ମାଛ ଧରାହେବା ନେଇ ଏକ ଭିଡିଓ ଭାଇରାଲ ହୋଇଥିବାର ଘଟଣା ଚର୍ଚ୍ଚାକୁ ଆସିଥିଲା। ଏ ସମ୍ପର୍କରେ ବନ ବିଭାଗକୁ ପଚାରିବାରୁ ସେମାନଙ୍କ ପାଖରେ କୌଣସି ଖବର ନ ଥିବା କହିଛନ୍ତି। କେତେକ ମତ୍ସ୍ୟଜୀବୀ କହିଛନ୍ତି, ହ୍ବେଲସାର୍କ ସମୁଦ୍ରରେ ଶୈବାଳ(ପ୍ଲାଙ୍କଟନ), ମାଛ ଅଣ୍ଡା ଓ ଛୋଟମାଛଙ୍କୁ ଖାଦ୍ୟ ଆକରରେ ଗ୍ରହଣ କରିଥାନ୍ତି। ଏହି ମାଛ ସମୁଦ୍ର ମଧ୍ୟରେ ଅତି ଧୀରଗତିରେ ଚଳାଚଳ କରିଥାନ୍ତି। ସେମାନେ ପାଟି ମେଲାକରି ସମୁଦ୍ରରେ ଗତି କଲାବେଳେ ନିଜର ଖାଦ୍ୟକୁ ପାଟି ମଧ୍ୟକୁ ଟାଣି ନେଇଥାନ୍ତି। ଆକାରରେ ବଡ଼ ହେଲେ ମଧ୍ୟ ହିଂସ୍ର ନୁହଁନ୍ତି। ଏଣୁ ସମୁଦ୍ରକୁ ଯାଉଥିବା ମତ୍ସ୍ୟଜୀବୀ ଓ ବୁଡ଼ାଳିଙ୍କ ପ୍ରତି ହ୍ବେଲସାର୍କ କୌଣସି ବିପଦ ସୃଷ୍ଟି କରି ନ ଥାନ୍ତି। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଙ୍ଗଠନ(ଆଇସିୟୁଏନ) ପକ୍ଷରୁ ଏହା ବିରଳ ପ୍ରାଣୀ ଭାବେ ଗଣାଯିବା ପରଠାରୁ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ଏହି ମାଛ ଧରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ଫଳରେ ସମୁଦ୍ରରୁ ଏହାକୁ ଧରିବା ଓ ବିକ୍ରି କରିବା ବେଆଇନ।

Share