ଧାମରାରେ ଲାଗିଲା ପଶ୍ଚିମବଙ୍ଗର ୩୭ ବୋଟ୍‌

ଚାନ୍ଦବାଲି,୮ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରଠାରୁ ଅନତି ଦୂରରେ ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ କେତେକ ମାଛଧରା ବୋଟ୍‌ ଫସି ରହିବାର ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ଧାମରାରେ ମୋଟ ୩୭ଟି ବୋଟ୍‌ ଆସି ପହଞ୍ଚିଥିବାବେଳେ ଆହୁରି କେତେକ ବୋଟ୍‌ ସମୁଦ୍ରରେ ଥିବା କୁହାଯାଉଛି। ଧାମରା ମାଛଧରା ଜେଟିରେ ୧୧ଟି, ଚନ୍ଦନିପାଳରେ ୧୨ଟି ଓ କାଳିନାଳିରେ ୬ଟି, ଡିପିସିଏଲ୍‌ ସୀମାରେ ୮ ବୋଟ୍‌ ଲାଗିଛି। ଅବଶିଷ୍ଟ ବୋର୍ଟ କେନ୍ଦ୍ରାପଡ଼ା ଜିଲାରେ ଲାଗି ଥିବା କଥା ଅନୁମାନ କରାଯାଉଛି। ତେବେ ପ୍ରତିକୂଳ ପାଗ ଓ ମେରାଇନ ବୋଟ୍‌ ଖରାପ କାରଣରୁ ଜିଲା ପ୍ରଶାସନର ଅଧିକାରୀମାନେ ଏହି ବୋଟ୍‌ ନିକଟରେ ପହଞ୍ଚିି ପାରିନାହାନ୍ତି। ଏଣୁ ସେସବୁ ବୋଟ୍‌ରେ ଖାଦ୍ୟ ଅଛି କି ନାହିଁ ଏବଂ ସେଥିରେ ଥିବା ଲୋକମାନେ କିଭଳି ଅବସ୍ଥାରେ ଅଛନ୍ତି ସେନେଇ ସଠିକ ତଥ୍ୟ ମିଳିପାରିନାହିଁ। ତେବେ ସେମାନେ ପଶ୍ଚିମବଙ୍ଗର ମତ୍ସ୍ୟଜୀବୀ ଓ ବୋଟ୍‌ ବୋଲି କୁହାଯାଉଥିବା ବେଳେ ଏନେଇ ସ୍ପଷ୍ଟ ସୂଚନା ମିଳି ପାରିନାହିଁ ା

ଜିଲା ପ୍ରଶାସନର ନିର୍ଦ୍ଦେଶରେ ଧାମରାର ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ରାଜସ୍ବ ସୁପରଭାଇଜର, ମେରାଇନ ଥାନାର କର୍ମଚାରୀମାନେ ସ୍ଥଳଭାଗରେ ବିଭିନ୍ନ ଜେଟିରେ ପହଞ୍ଚି ମତ୍ସ୍ୟଜୀବୀଙ୍କଠାରୁ ଏପରି କିଛି ଅଟକି ରହିବା ବୋଟ୍‌ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛନ୍ତି । ଏହି ବୋଟ୍‌ ପଶ୍ଚିମବଙ୍ଗର ମେଦିନାପୁରରେ ଥିବା କଂଟାଇରେ ରହିଯାଇଥିଲା। ତେବେ ସାମୁଦ୍ରିକ ପବନ ପ୍ରଭାବରେ ସେମାନେ ଧାମରା ମୁହାଣ ଆଡକୁ ଭାସି ଆସିବା କଥା କୁହାଯାଉଛି। ଏମାନଙ୍କୁ ଉଦ୍ଧାର କରିବାକୁ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓଡିଶା ସରକାରକୁ ସହାୟତା ମାଗିଥିଲେ। ଅଶାନ୍ତ ସମୁଦ୍ର ଓ ସାମୁଦ୍ରିକ ଝଡ ‘ବୁଲବୁଲ୍‌’ର ସମ୍ଭାବ୍ୟ ଗତିପଥ କାରଣରୁ ଏହି ବୋଟ୍‌ଗୁଡିକ କଣ୍ଟାଇ ଉପକୂଳକୁ ଫେରିବା ବିପଦଜନକ ଥିବାରୁ ସେମାନଙ୍କୁ ଓଡିଶା ଉପକୂଳରେ ଧାମରାରେ ଆଶ୍ରୟ ନେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ବାତ୍ୟା ‘ବୁଲବୁଲ୍‌’ ୧୦ ତାରିଖରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ଥିବା ସୁନ୍ଦରବନ ଡେଲଟା ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ଏହି ସମୟରେ ପବନର ବେଗ ମଧ୍ୟ ବୃଦ୍ଧିଘଟି ସମୁଦ୍ର ଅଶାନ୍ତ ରହିବ ା

Share