ଧାମରା ଥାନାରେ ଆଣ୍ଠୁଏ ପାଣି

ଚାନ୍ଦବାଲି, ୨।୭ (ଡି.ଏନ.ଏ.) – ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତର ଶିଳ୍ପକ୍ଷେତ୍ର ଆଦାନୀ ପୋର୍ଟ ନିକଟରେ ନବନିର୍ମିତ ଧାମରା ଥାନା ବର୍ଷାଜଳରେ ଉବୁଟୁବୁ ହେଉଛି। ନୂତନ ଥାନା ହେବା ପରେ ଏହି ଥାନା ଅଧୀନରେ ୩ ପଞ୍ଚାୟତ ସହ ଆଦାନୀ ପୋର୍ଟ ରହିଛି। ବର୍ଷାଦିନ ପୂର୍ବରୁ ଥାନା ନିକଟରେ ଡ଼୍ରେନେଜ ବ୍ୟବସ୍ଥା କରାଯାଇ ନ ଥିବାରୁ ରବିବାରଠାରୁ ବର୍ଷା ଲାଗିରହିବାରୁ ଜଳ ନିଷ୍କାସିତ ହୋଇ ନ ପାରି ଥାନା ଭିତରକୁ ପ୍ରବେଶ କରିଛି। ଏବେ ଥାନା ଭିତରେ ଆଣ୍ଠୁଏ ଲେଖାଏ ପାଣି ଜମି ରହିଛି। ହାଜତ ଭିତରେ ୨ ଫୁଟର ପାଣି। ଫଳରେ ଅଫିସ ଟେବୁଲ, ଚେୟାର, କମ୍ପ୍ୟୁଟର ଆଦି ଅଧା ପାଣିରେ ବୁଡ଼ି ରହିଛି। ରବିବାରଠାରୁ ଥାନା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବର୍ଷାଋତୁ ଆରମ୍ଭରୁ ଥାନାରେ ଏଭଳି ଅବସ୍ଥା ହେଲେ ଆଗକୁ ସ୍ଥିତି କ’ଣ ହେବ ବୋଲି କୁହାଯାଇଛି। ଅପରପକ୍ଷେ ଧାମରା ନିକଟବର୍ତ୍ତୀ କଇଥଖୋଲା ବଜାରରୁ ବର୍ଷାଜଳ ନିଷ୍କାସିତ ହୋଇ ନ ପାରି ଲହଡ଼ି ଭାଙ୍ଗୁଛି। ଜଳ ନିଷ୍କାସନ ଦାବିରେ ସ୍ଥାନୀୟ ଲୋକେ ତଥା ବ୍ୟବସାୟୀ ରାସ୍ତା ଅବରୋଧ କରିଥିଲେ। ଏପରିକି ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ବଁାଶଡ଼ା ଥାନା ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଛି।