Categories: ଜାତୀୟ

ଧାରଣାରେ ବସିଥିବା ଆର୍‌ଏଲ୍‌ଏସ୍‌ପି ଅଧ୍ୟକ୍ଷଙ୍କ ବିଗଡ଼ିଲା ସ୍ବାସ୍ଥ୍ୟାବସ୍ଥା

ପାଟନା,୨୭।୧୧: ବିହାରରେ ଶିକ୍ଷା ବ୍ୟବସ୍ଥାର ଖରାପ୍‌ ସ୍ଥିତିକୁ ନେଇ ଆମରଣ ଅନଶନରେ ବସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟି(ଆର୍‌ଏଲ୍‌ଏସ୍‌ପି)ର ଅଧ୍ୟକ୍ଷ ଉପେନ୍ଦ୍ର କୁଶଓ୍ବାହା। ପାଟନାର ମିଲର ଉଚ୍ଚ ବିଦ୍ୟାଳୟ ପରିସରରେ ଉପେନ୍ଦ୍ରଙ୍କ ଅନଶନରେ ବସିଛନ୍ତି। ଏହି ଆନ୍ଦୋଳନରେ ଦଳର କର୍ମକର୍ତ୍ତାମାନେ ସାମିଲ ହୋଇଥିବା ବେଳେ ଅନ୍ୟ ଦଳର ମଧ୍ୟ ସମର୍ଥନ ମିଳିଛି। ଗତ ୨୪ଘଣ୍ଟା ଧରି ଅନଶନରେ ବସିଥିବା ଯୋଗୁ ଉପେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ସହ ୫କିଲୋ ଓଜନ ହ୍ରାସ ପାଇଛି। ଏଥିସହ ତାଙ୍କର ବ୍ଲଡ ପ୍ରେସର ବଢ଼ିଯିବା ସହ ପଲ୍ସ ରେଟ୍‌ ମଧ୍ୟ କମିଯାଇଥିବା ଜଣାପଡ଼ିଛି। ଧାରଣାସ୍ଥଳରେ ଡାକ୍ତର ପହଞ୍ଚି ତାଙ୍କର ଚିକିତ୍ସା କରିଛନ୍ତି। ଲଗାତାର ଭାବେ ଡାକ୍ତର ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ବୋଲି କର୍ମକର୍ତ୍ତାମାନେ କହିଛନ୍ତି। ଅନଶନର ଦ୍ୱିତୀୟ ଦିନରେ ଉପେନ୍ଦ୍ର ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ନିବେଦନ କରିଛନ୍ତି। ଏଥିସହ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସେ ଦାବି କରିଛନ୍ତି। ଏଥିପାଇଁ ଉପେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା କରିବା ପାଇଁ ସମୟ ମାଗିଥିଲେ। ହେଲେ ସମୟ ମିଳି ନ ଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।

Share