ଧାରଣା ଦେଲେ ବିଏସ୍‌ଏନ୍‌ଏଲ୍‌ ଠିକା କର୍ମଚାରୀ

ଜୟପୁର,୩ା୭(ଡି.ଏନ୍‌.ଏ.): ଜୟପୁରସ୍ଥିତ ବିଏସ୍‌ଏନ୍‌ଏଲରେ କାର୍ଯ୍ୟରତ ଚୁକ୍ତିଭତ୍ତିକ ଅସ୍ଥାୟୀ କର୍ମଚାରୀ ବୁଧବାର ଧାରଣା ଦେଇଛନ୍ତି। ସିଟୁ ସମର୍ଥିତ କାଜୁଆଲ କର୍ମଚାରୀ ସଂଘର ଆହ୍ବାନ କ୍ରମେ ସ୍ଥାନୀୟ ଟେଲିଫୋନ୍‌ ଭବନ ସମ୍ମୁଖରେ ଅସ୍ଥାୟୀ କର୍ମଚାରୀଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଧାରଣା ଦିଆଯାଇଥିଲା । ଅସ୍ଥାୟୀ କର୍ମଚାରୀଙ୍କୁ ଅଧିକ କାର୍ଯ୍ୟ କରାଯାଉଥିଲେ ମଧ୍ୟ ୬ ମାସ ହେଲାଣି ଦରମା ଦିଆଯାଇ ନାହିଁ। ସେହିପରି ଇପିଏଫ୍‌, ଇଏସ୍‌ଆଇ ଦିଆଯାଇ ନାହିଁ । ନିଜର ପ୍ରାପ୍ୟ ଦାବିକରି କର୍ମଚାରୀମାନେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ମଧ୍ୟ ପାଲଟା ଚାକିରିରୁ ବାହାର କରିଦେବାର ଧମକ ଦିଆଯାଉଛି। ଏହାର ପ୍ରତିବାଦରେ ବୁଧବାର ଦିନିକିଆ ଆନ୍ଦୋଳନ କରାଯିବା ସହ ୧୫ରେ ରାଜ୍ୟବ୍ୟାପୀ ଓ ୧୬ ତାରିଖରେ ସର୍ବଭାରତୀୟ ସ୍ତରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ କରାଯିବ ବୋଲି ସଂଘର ଶାଖା ସଭାପତି ବିଜୟ ପାତ୍ର ପ୍ରକାଶ କରିଛନ୍ତି । ଜିଲା ସଂଯୋଜକ ସୁରେଶ ଗୌଡ଼, ଉପସଭାପତି ବି. ଓରାଲୁ, କୋଷାଧ୍ୟକ୍ଷ ଜିତେନ୍ଦ୍ର ରାଉତରାୟ, ଦେବରାଜ ପଟ୍ଟନାୟକ, ପଦ୍ମନ କୁମାର ଏବଂ ସତ୍ୟନାରାୟଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅସ୍ଥାୟୀ କର୍ମଚାରୀମାନେ ଧାରଣାରେ ଯୋଗ ଦେଇଥିଲେ।

Share