ଧାରଣା ସ୍ଥଳରେ ଟଳିପଡିଲେ ଶିକ୍ଷକ: ମୟୂରଭଞ୍ଜ ଜିଲା ଗଣଶିକ୍ଷକ ସଂଘ ସଭାପତି ଥିଲେ; ଅଧୁରା ରହିଗଲା ଦାବି ପୂରଣ

ଭୁବନେଶ୍ୱର,୨ା୧୨(ବ୍ୟୁରୋ)/କୁଆମରା/ଖୁଣ୍ଟା(ଡି.ଏନ୍‌.ଏ) – ଦାବି ପୂରଣ ପାଇଁ ଆସିଥିଲେ ରାଜଧାନୀ। ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିର ଆନ୍ଦୋଳନସ୍ଥଳରେ ଅନ୍ୟଶିକ୍ଷକଙ୍କ ସହ ଧାରଣା ଦେଇଥିଲେ। ବିକ୍ଷୋଭ ଓ ପ୍ରତିବାଦ କରୁଥିବା ସମୟରେ ମଙ୍ଗଳବାର ଅପରାହ୍ନରେ ହଠାତ୍‌ ଟଳିପଡିଥିଲେ ମୟୂରଭଞ୍ଜର ଶିକ୍ଷକ ନିରଞ୍ଜନ ବାରିକ। ସେଠାରେ ଉପସ୍ଥିତ ପୋଲିସ ଓ ଅନ୍ୟ କେତେଜଣ ଶିକ୍ଷକ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ନିରଞ୍ଜନଙ୍କୁ ମୃତ ଘୋଷଣା କରିଥିଲେ। କ୍ୟାପିଟାଲ ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପରିବାର ଲୋକଙ୍କୁ ଖବର ଦେଇଛି। ବୁଧବାର ବ୍ୟବଚ୍ଛେଦ ପରେ ମୃତଦେହକୁ ହସ୍ତାନ୍ତର କରାଯିବ ବୋଲି ଥାନାଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ସୂଚନା ଦେଇଛନ୍ତି।

ମୃତ ଶିକ୍ଷକ ନିରଞ୍ଜନଙ୍କ ଘର ମୟୂରଭଞ୍ଜ ଜିଲା ବଡ଼ଖୁଣ୍ଟା ଗ୍ରାମରେ। ଗୋପବନ୍ଧୁ ନଗର ବ୍ଲକ ସାନଖୁଣ୍ଟା ପଞ୍ଚାୟତର ବାଲଡିହା ଆଶ୍ରମ ସ୍କୁଲରେ ଶିକ୍ଷକତା କରୁଥିଲେ। ସେ ୧୯୯୫ରେ ନନ୍‌ଫର୍ମାଲରୁ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ। ୨୦୦୮ରେ ଗଣଶିକ୍ଷକ ଓ ୨୦୧୮ରେ ରେଗୁଲାର ହୋଇଥିଲେ। ସେ ଗଣଶିକ୍ଷକ ସଂଘର ମୟୂରଭଞ୍ଜ ଜିଲା ସଭାପତି ଅଛନ୍ତି। ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଥିବା ଜଣାପଡିଛି।

‘ଦାବି ପୂରଣ ନ ହେଲେ ସମସ୍ତେ ଜୀବନ ହାରିବୁ’
ଓଟିଇଟି ପରୀକ୍ଷାର ପୁନଃମୂଲ୍ୟାୟନ, ବାଦ୍‌ପଡ଼ିଥିବା ଗଣଶିକ୍ଷକଙ୍କୁ ନିୟମିତ କରିବା, ମୃତ ଶିକ୍ଷକଙ୍କ ପରିବାରକୁ ଚାକିରି ସହିତ ମୃତ୍ୟୁକାଳୀନ ସହାୟତା ଆଦି ଦାବିରେ ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡର) ମହାସଂଘ ପକ୍ଷର ଲୋୟର ପିଏମ୍‌ଜିରେ ଧାରଣ ଚାଲିଛି। ଶିକ୍ଷକ ନିରଞ୍ଜନଙ୍କ ମୃତ୍ୟୁରେ ଅନ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ, ଦାବି ପୂରଣ ନ ହେଲେ ନିରଞ୍ଜନଙ୍କ ଭଳି ଆମେ ସମସ୍ତେ ଜୀବନ ହାରିଦେବୁ। ୨୦୧୪ରୁ ସଂଘ ନିଜର ଦାବି ନେଇ ଆନ୍ଦୋଳନ ଜାରି ରଖିଛି। ସରକାର ଭୁଆଁ ବୁଲାଇ ଚାଲିଛନ୍ତି। ପୂର୍ବରୁ ମଧ୍ୟ ସଂଘ ସଦସ୍ୟ ଥିବା ଜଣେ ଶିକ୍ଷକ ଦାବି ପୂରଣ ନ ହେବାରୁ ଆତ୍ମହତ୍ୟା କରିଛନ୍ତି।

Share