Categories: ଜାତୀୟ

ଧାରା ୩୭୦କୁ ନେଇ ଦ୍ୱନ୍ଦ୍ୱରେ କଂଗ୍ରେସ: ମୋଦି ସରକାରଙ୍କ ପ୍ରଶଂସା କରିବ ନା ସମାଲୋଚନା

ନୂଆଦିଲ୍ଲୀ,୬।୮: ସୋମବାର ଜମ୍ମୁ-କଶ୍ମୀରରେ ଧାରା ୩୭୦ ଓ ୩୫ଏ ଉଚ୍ଛେଦ କରାଯିବା ପରେ ଏହା ମୋଦି ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି ଆଲୋଚନା ହୋଇଥିଲା। ରାଜ୍ୟ ସଭାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ଉପସ୍ଥାପନ କରିବା ପରେ ତୁରନ୍ତ ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଥିଲା। ଏହାପରେ ଏହାକୁ ନେଇ ପ୍ରାୟ ସବୁ ଦଳର ନେତାମାନେ କିଛି ନା କିଛି ପ୍ରତିକ୍ରିୟା ରଖିଲେ। ହେଲେ କଂଗ୍ରେସ ଏହାକୁ ନେଇ ମୁହଁ ଖୋଲିଲା ନାହିଁ। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ହୁଅନ୍ତୁ ଅବା ମହାସଚିବ ପ୍ରିୟଙ୍କା ଗାନ୍ଧୀ ଏମାନେ ନା କିଛି ପ୍ରତିକ୍ରିୟା ରଖିଲେ ନା ଟୁଇଟରରେ କିଛି ଶେୟାର କଲେ। ଏମିତିକି ଦଳର ଟୁଇଟର ଆକାଉଣ୍ଟ ମଧ୍ୟ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ କିଛି ଲେଖି ନ ଥିବା ଦେଖାଯାଇଛି। ଏବେ ରାଜନୈତିକ ମହଲରେ ଆଲୋଚନା ହେଉଛି କି କଂଗ୍ରେସ ବୋଧହୁଏ ଦ୍ୱନ୍ଦ୍ୱରେ ପଡିଯାଇଛି। ଅନୁଚ୍ଛେଦ ୩୭୦କୁ ନେଇ କଂଗ୍ରେସ ମୋଦି ସରକାରଙ୍କ ପ୍ରଶଂସା କରିବ ନା ସମାଲୋଚନା କରିବ ତାହା ବୋଧହୁଏ ସ୍ଥିର କରିପାରୁ ନାହିଁ। ଅନ୍ୟପଟେ କଂଗ୍ରେସର କେତେଜଣ ନେତା ଏହାକୁ ସମର୍ଥନ ଜଣାଇଥିବା ବେଳେ ଆଉ କେତେଜଣ ଏହାର ବିରୋଧ କରିଛନ୍ତି। ଏହାପରେ କୁହାଯାଉଛି କଂଗ୍ରେସ ବୋଧହୁଏ ବିଭାଜନ ହେବା ସ୍ଥିତିରେ।

Share