ଧାର୍ଯ୍ୟ ସମୟ ପୂର୍ବରୁ ମଣ୍ଡିରେ ଧାନକିଣା ବନ୍ଦ କରାଯାଉଛି: କଂଗ୍ରେସ

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ଅଭାବୀ ଧାନବିକ୍ରି ଦ୍ୱାରା ଚାଷୀକୁଳ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ମିଲର୍ସ ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ମଣ୍ଡିରୁ ଧାନ ଉଠୁନାହିଁ। ଅନ୍ୟପକ୍ଷରେ ଅଦିନିଆ ବର୍ଷାରେ ମଣ୍ଡିରେ ଧାନ ଭିଜୁଛି। ବର୍ଷାରେ ଧାନର ମାନ ଓ ରଙ୍ଗ ପ୍ରଭାବିତ ହେବାରେ ଲାଗିଲାଣି। ମିଲର ନ ଯିବା ପର୍ଯ୍ୟନ୍ତ ଧାନ ଓଜନ ହେଉନାହିଁ। ଧର୍ମକୁ ଆଖିଠାର ସଦୃଶ ସରକାର ବିଳମ୍ବରେ ଅନେକ ସ୍ଥାନରେ ମଣ୍ଡି ଖୋଲି ନିର୍ଦ୍ଦିଷ୍ଟ ସମୟସୀମା ପୂର୍ବରୁ ଧାନକିଣା ବନ୍ଦ କରି ଦେଉଛନ୍ତି ବୋଲି କଂଗ୍ରେସ କିଷାନ ସେଲ୍‌ ଅଭିଯୋଗ କରିଛି।
କିଷାନ ସେଲ୍‌ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ କହିଛନ୍ତି ଯେ, ସେହି କ୍ରମରେ ଦେଖିଲେ ଗତ ୧୭ ତାରିଖରୁ ସମ୍ବଲପୁରରେ ଧାନକିଣା ବନ୍ଦ। ଟୋକନ ପାଇବାରେ ବିଳମ୍ବ ହେବା ସହିତ ଟୋକନ ପାଇଥିବା ଚାଷୀଙ୍କଠାରୁ ମଧ୍ୟ ଧାନ କିଣା ଯାଉନାହିଁ। ମାପ ଓଜନରେ ଠକେଇ ସହିତ କୁଇଣ୍ଟାଲ ପିଛା ୫ରୁ ୭ କଟାଯାଉଛି। ମିଲରମାନେ ଧାନ କିଣିବାରେ ମଧ୍ୟସ୍ଥ ସାଜିଛନ୍ତି। ଧାନ ବିକିବା ପାଇଁ ଚାଷୀ ପଞ୍ଜୀକରଣରେ ବ୍ୟାପକ ତ୍ରୁଟି ଦେଖାଦେଇଛି। ନିୟମିତ ଅନ୍‌ଲାଇନ ସିଷ୍ଟମ୍‌ରେ ବିଳମ୍ବତା ଦୃଷ୍ଟିରୁ ଚାଷୀ ବହୁ ସମୟରେ ଧାନ ବିକିବାକୁ ଅସୁବିଧା ଭୋଗୁଛନ୍ତି। ସରକାରଙ୍କ ଡେଡ୍‌ ଲାଇନ୍‌ ଅନୁଯାୟୀ ମାର୍ଚ୍ଚ ୩୧ ସୁଦ୍ଧା ଧାନ କ୍ରୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ ଧାନ ବିକିବା ପାଇଁ ଚାଷୀ ଘୋର ସନ୍ଦେହ ମଧ୍ୟରେ ରହିଛନ୍ତି ବୋଲି ସେ କହିଛନ୍ତି।

Share