ବିଜୁ ସେତୁ ଯୋଜନା: ଧିମା ପଡ଼ିଛି ଧାର୍ଯ୍ୟ ଲକ୍ଷ୍ୟ ହାସଲ

ଭୁବନେଶ୍ୱର, ୨୧।୧(ବ୍ୟୁରୋ): ଗ୍ରାମବହୁଳ ରାଜ୍ୟ ଓଡ଼ିଶାରେ ଗମନାଗମନ ଭିତ୍ତିଭୂମି ସୁଦୃଢ ହେବା ନିହାତି ଆବଶ୍ୟକ। ସେଥିଲାଗି ସଡ଼କ ଏବଂ ସେତୁ ନିର୍ମାଣର ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଏହି କାର୍ଯ୍ୟ କରୁଛି। ପ୍ରତି ଆର୍ଥିକବର୍ଷରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖାଯାଇ କାର୍ଯ୍ୟ କରାଯାଇଥାଏ। ଚଳିତ ଆର୍ଥିକବର୍ଷରେ ମଧ୍ୟ ସେପରି ଲକ୍ଷ୍ୟ ରଖାଯାଇଥିଲା। ହେଲେ ଗତ ନଭେମ୍ବର ସୁଦ୍ଧା ସେତୁ ନିର୍ମାଣରେ ଆଖିଦୃଶିଆ ଫଳାଫଳ ଦେଖିବାକୁ ମିଳି ନ ଥିବା ସରକାରୀ ରିପୋର୍ଟରୁ ସ୍ପଷ୍ଟ ହୋଇଛି।
ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ୨୦୧୯-୨୦ ଆର୍ଥିକବର୍ଷରେ ବିଜୁ ସେତୁ ଯୋଜନାରେ ୫୫୦ କୋଟି ଟଙ୍କାର ବଜେଟ୍‌ ରଖାଯାଇଥିଲା। ଗତ ନଭେମ୍ବର ୩୦ ଅପରାହ୍ନ ୩ଟା ସୁଦ୍ଧା ବିଭାଗକୁ ମିଳିଥିବା ତଥ୍ୟ ଅନୁଯାୟୀ ସେଥିରୁ ୨୪୧.୨୩ କୋଟି ଟଙ୍କା ବ୍ୟୟ ହୋଇଛି। ବରାଦ ହୋଇଥିବା ମୋଟ ଅର୍ଥର ୪୩.୮୬ ପ୍ରତିଶତ ଖର୍ଚ୍ଚ ହୋଇଛି। ଏହି ସମୟରେ ୨୭୨ଟି ସେତୁ କରାଯିବାର ଲକ୍ଷ୍ୟ ରଖାଯାଇଛି। ହେଲେ ତନ୍ମଧ୍ୟରୁ ମାତ୍ର ୩୩ଟି ପ୍ରକଳ୍ପ କାର୍ଯ୍ୟ ଶେଷ ହୋଇଛି। ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୧୨.୧୩ ପ୍ରତିଶତ କାର୍ଯ୍ୟ ପୂରଣ ହୋଇଛି। ତେଣୁ ଚଳିତ ଆର୍ଥିକ ବର୍ଷର ବାକି ଥିବା ୪ ମାସ(୨୦୧୯ ନଭେମ୍ବରରୁ ମାର୍ଚ୍ଚ ୨୦୨୦) ମଧ୍ୟରେ ବଳକା ଥିବା ୫୬.୧୪ ପ୍ରତିଶତ ଅର୍ଥରେ ୮୭.୮୭ ପ୍ରତିଶତ କାର୍ଯ୍ୟ କରିବାକୁ ହେବ। ମୋଟ ଉପରେ କହିବାକୁ ଗଲେ ଏହି ୪ ମାସ ମଧ୍ୟରେ ୨୩୯ଟି ସେତୁ ନିର୍ମାଣ ହେବାର ରହିଛି। ତେଣୁ ବିଭାଗ ଏହି ଲକ୍ଷ୍ୟକୁ କିପରି ହାସଲ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଉଲ୍ଲେଖଯୋଗ୍ୟ, ୨୦୧୧-୧୨ ଆର୍ଥିକବର୍ଷରେ ପ୍ରାଥମିକ ୪୦୦ ବିଜୁ ସେତୁ ନିର୍ମାଣ ନେଇ ଘୋଷଣା କରାଯାଇଥିଲା। ୨୦୧୮-୧୯ ଆର୍ଥିକବର୍ଷ ଶେଷ ଆଡକୁ ସେତୁ ସଂଖ୍ୟା ୧୩୩୨କୁ ବୃଦ୍ଧି କରାଗଲା। ଏଥିପାଇଁ ୬୧୩୦.୫୧ କୋଟି ଟଙ୍କାର ବ୍ୟୟବରାଦ ରଖାଯାଇଛି। ଗତବର୍ଷ ମାର୍ଚ୍ଚ ସୁଦ୍ଧା ଯୋଜନା ଆରମ୍ଭରୁ ଏ ଯାବତ୍‌ ୬୬୨ଟି ସେତୁ ନିର୍ମାଣ ସରିଛି। ଗତ ଏପ୍ରିଲରୁ ନଭେମ୍ବର ମଧ୍ୟରେ ୩୩ଟି ସେତୁ ନିର୍ମାଣ ହୋଇଛି। ଏହିପରି ଭାବେ ମୋଟ ୬୯୫ଟି ସେତୁ ନିର୍ମିତ ହୋଇଛି। ସେହିଭଳି ୫୩୨ଟି ସେତୁ କାର୍ଯ୍ୟ ଜାରି ରହିଛି। ଚୁକ୍ତି ଏବଂ ଟେଣ୍ଡରସ୍ତରରେ ୮୭ଟି ସେତୁ ରହିଛି। ଅପରପକ୍ଷରେ ୧୮ଟି ସେତୁ ଡିପିଆର/ଡିଜାଇନ୍‌/ଆଇନଗତ ମାମଲାରେ ରହିଥିବା ଜଣାଯାଇଛି।

Share