Categories: ବାଣିଜ୍ୟ

ଧିମେଇବ ଅର୍ଥ ବ୍ୟବସ୍ଥା

ନୂଆଦିଲ୍ଲୀ୨୮। ୩: କରୋନା ପ୍ରଭାବକୁ କମାଇବା ଲାଗି ସରକାର ଦେଶରେ ୨୧ ଦିନିଆ ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହି ସମୟରେ ଦେଶର ଆର୍ଥିକ କାର୍ଯ୍ୟକଳାପ ଗଭୀର ଭାବେ ପ୍ରଭାବିତ ହୋଇଛି। ଦେଶର ଆର୍ଥତ୍କ ଅଭିବୃଦ୍ଧିର ଗତି ଧିମେଇବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। କରୋନା ପ୍ରଭାବରେ ହୋଇଥିବା ଲକ୍‌ଡାଉନ ଯୋଗୁ ଅର୍ଥ ବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡିବାକୁ ଥିବା ବେଳେ ଦେଶର ଜିଡିପି ହାର ଆର୍ଥତ୍କ ବର୍ଷ ୨୦୨୧ରେ ୨.୬%କୁ ଖସିବା ନେଇ ଏସ୍‌ବିଆଇ ଗ୍ରୁପର ଚିଫ୍‌ ଇକୋନୋମିକ ଆଡଭାଇଜର ସୌମ୍ୟକାନ୍ତି ଘୋଷ ପୂର୍ବାନୁମାନ କରିଛନ୍ତି। ଏହା ସତ ହେଲେ ଦେଶର ଅର୍ଥ ବ୍ୟବସ୍ଥାର ବିକାଶ ହାର ପ୍ରାୟ ୩ ଦଶନ୍ଧି ତଳକୁ ଖସିଯିବ ବୋଲି କୁହାଯାଇଛି। ସେହିଭଳି ରେଟିଂ ଏଜେନ୍ସି କ୍ରିସିଲ ଭାରତର ବିକାଶ ହାର ଅନୁମାନକୁ ୫.୨% ପରିବର୍ତ୍ତେ ୩.୫%କୁ ଖସାଇ ଦେଇଛି। ଲକ୍‌ଡାଉନ ପାଇଁ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ପ୍ରାୟ ୮ ଲକ୍ଷ କୋଟି ଟଙ୍କା କ୍ଷତି ସହିବାକୁ ପଡିବ ବୋଲି ଏକ ଆକଳନରେ କୁହାଯାଇଛି। ୧.୭୭ ଲକ୍ଷ କୋଟିର ଆୟ କ୍ଷତି ଏବଂ ପୁଞ୍ଜିଗତ ଆୟକ୍ଷେତ୍ରରେ ୧.୭ ଲକ୍ଷ କୋଟି ଟଙ୍କାର କ୍ଷତି ଭାରତ ସହିବ ବୋଲି ଘୋଷ କହିଛନ୍ତି। ୨୧ ଦିନର ଲକ୍‌ଡାଉନ ଲାଗି ଜିଡିପି ୧.୭% କ୍ଷତି ସହିବ। ସେହିଭଳି ଭଳି ଆର୍ଥତ୍କ ବର୍ଷ ୨୦୧୯-୨୦ରେ ଅଭିବୃଦ୍ଧିକୁ ୫%ରୁ ୪.୫%କୁ ଖସାଇଛି। ଚତୁର୍ଥ ତ୍ରୈମାସ ବିକାଶ ହାର ୨.୫% ରହିବ ବୋଲି ଏସ୍‌ବିଆଇ ନୋଟ ପକ୍ଷରୁ କୁହାଯାଇଛି। ସେହିଭଳି ରେଟିଂ ଏଜେନ୍ସି ମୁଡିସ ୨୦୨୦ କ୍ୟାଲେଣ୍ଡର ବର୍ଷ ଲାଗି ଭାରତର ବିକାଶ ହାର ଅନୁମାନକୁ ୨.୫%କୁ ଖସାଇ ଦେଇଛି। ଏହି ହାର ୫.୩% ରହିବ ବୋଲି ପୂର୍ବରୁ ମୁଡିସ ଏହାର ଅନୁମାନରେ କହିଥିଲା। କରୋନା ବ୍ୟାପିବା ଯୋଗୁ ବିଶ୍ୱ ଅର୍ଥବ୍ୟବସ୍ଥାକୁ ଧକ୍କା ଲାଗିବ ବୋଲି ଏହା ରିପୋର୍ଟରେ ପ୍ରକାଶ କରିଛି।

Share