ଧୁମଧାମରେ ପାଳନ ହେଲା ଇଦ

ଭୁବନେଶ୍ୱର,୧୩।୮(ବ୍ୟୁରୋ): ରାଜଧାନୀରେ ଥିବା ମସ୍‌ଜିଦ୍‌ଗୁଡ଼ିକରେ ସୋମବାର ଧୁମ୍‌ଧାମ୍‌ରେ ପାଳିତ ହୋଇଛି ମୁସଲମାନ ସମ୍ପ୍ରଦାୟର ଦ୍ୱିତୀୟ ବଡ଼ ପର୍ବ ଇଦ୍‌-ଉଲ୍‌-ଜୁହା। ବର୍ଷା ସତ୍ତ୍ୱେ ଦିନତମାମ ମସ୍‌ଜିଦ୍‌ରେ ଉତ୍ସବର ପରିବେଶ ଲାଗି ରହିଥିଲା। ଆଲ୍ଲାଙ୍କ ନିକଟରେ ସମସ୍ତେ ନିଜକୁ ସମର୍ପିତ ଦେଇଥିଲେ। ଭୁବନେଶ୍ୱର ୟୁନିଟ୍‌-୪ କ୍ୟାପିଟାଲ ମସ୍‌ଜିଦ, ୟୁନିଟ୍‌-୩ ଜାମା ମସ୍‌ଜିଦ୍‌ ଏବଂ ସତ୍ୟନଗରସ୍ଥିତ ମସ୍‌ଜିଦ୍‌ ଇ ଫେମିଦାରେ ଭିଡ଼ ଜମିଥିଲା। ସକାଳ ୮ଟା ୪୫ରୁ ୧୦ଟା ମଧ୍ୟରେ ଇଦ୍‌ ନମାଜ ପାଠ କରାଯାଇଥିଲା। ଆଲ୍ଲା ହୋ ଆକବର ଶବ୍ଦରେ ସମ୍ପୂର୍ଣ୍ଣ ମସ୍‌ଜିଦ୍‌ ପ୍ରକମ୍ପିତ ହୋଇଥିଲା। ନୀତି, ନିଷ୍ଠା ଓ ଆନନ୍ଦ ଉଲ୍ଲାସର ସହ ସମସ୍ତେ ଏକାଠି ହୋଇ ତ୍ୟାଗ ଓ ସମର୍ପଣର ଏହି ପର୍ବକୁ ପାଳନ କରିଥିଲେ। ସେହିଭଳି କଟକ, ପୁରୀ, ଖୋର୍ଦ୍ଧାରେ ମଧ୍ୟ ଆନନ୍ଦଉଲ୍ଲାସରେ ଇଦ୍‌ ପାଳନ କରାଯାଇଥିଲା।
ହଜରତ ଇବ୍ରାହିମ୍‌ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ପ୍ରିୟ ପୁତ୍ର ହଜରତ ଇସ୍ମାଇଲଙ୍କୁ ସମର୍ପଣ କରିଥିବାରୁ ପ୍ରତ୍ୟେକ କିଛି ନା କିଛି ତ୍ୟାଗ କରି ଇଦ୍‌ ପାଳନ କରିଥିଲେ। ନୂଆ ବସ୍ତ୍ର ପିନ୍ଧି ମୁଣ୍ଡରେ ଟୋପି ଓ ଆଖିରେ ସୁରମା ଲଗାଇ ନମାଜ ପାଠ ପରେ ପରସ୍ପରକୁ ଇଦ୍‌ ମୁବାରକ ଜଣାଇଥିଲେ। ଧନୀ ଗରିବ, ଉଚ୍ଚ ନୀଚ ଓ ପର ଆପଣାର ଭେଦଭାବ ଭୁଲି ସମସ୍ତେ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଯାହାକି ଇଦ୍‌ର ଅନ୍ୟତମ ଆକର୍ଷଣ ଥିଲା। ମସ୍‌ଜିଦ୍‌ଗୁଡିକରେ ମୌଲବୀମାନେ ନମାଜ ପାଠ କରାଇଥିଲେ। ଏହି ଅବସରରେ ମୁସଲମାନ୍‌ ସମ୍ପ୍ରଦାୟର ଲୋକମାନେ ଆଲ୍ଲାଙ୍କ ଉଦ୍ଦେଶ୍ୟରେ ଗରିବ ଲୋକଙ୍କୁ ବିଭିନ୍ନ ସାମଗ୍ରୀ ଦାନ କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଇଦ୍‌ ଗାହ ପରମ୍ପରା ଅନୁଯାୟୀ ଅନେକ ସ୍ଥାନରେ ଖୋଲା ପଡ଼ିଆରେ ଶ୍ରଦ୍ଧାଳୁମାନେ ସମୂହ ପ୍ରାର୍ଥନା କରିଥିଲେ। ଏହାବ୍ୟତୀତ ଘରେ ଘରେ ଇଦ୍‌ ଅବସରରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା। ବନ୍ଧୁ ପରିଜନ ଏକାଠି ହୋଇ ଏହି ସୁସ୍ବାଦୁ ବ୍ୟଞ୍ଜନ ସହ ଇଦ୍‌ ପାଳନ କରିଥିଲେ। ଏହାସହ ବଡ଼ମାନେ ସାନମାନଙ୍କୁ ଆଶୀର୍ବାଦ ସ୍ବରୂପ ବିଭିନ୍ନ ଉପହାର ପ୍ରଦାନ କରିଥିଲେ।