ଧୂଳିଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ : ୧ ହଜାର ପୋଷ୍ଟକାର୍ଡ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ ଅଭିଯୋଗ

ବଡ଼ବିଲ,୧୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳବାସୀ ବିପର୍ଯ୍ୟସ୍ତ ରାସ୍ତାଘାଟ, ଟ୍ରାଫିକ ସମସ୍ୟା, ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି। ଧୂଳିଧୂଆଁ ଜନିତ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି। ତେବେ ଏ ନେଇ ବାରମ୍ବାର ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଯୁବ ଗୋଷ୍ଠୀ ଏକ ନିଆରା ପ୍ରତିବାଦ କରିଛନ୍ତି। ସେଥିଲାଗି ମୁଖ୍ୟମନ୍ତ୍ରୀଙ୍କୁ ପୋଷ୍ଟକାର୍ଡରେ ଅଭିଯୋଗ ଡ୍ରାଇଭ୍‌ ଆରମ୍ଭ କରିଛନ୍ତି। ଶନିବାର ବଡ଼ବିଲ ପୁରୁଣା ବସଷ୍ଟାଣ୍ଡରେ ଲୋକଙ୍କଠାରୁ ଅଭିଯୋଗର ପୋଷ୍ଟ କାର୍ଡ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ୧ ହଜାର ଅଭିଯୋଗ ପୋଷ୍ଟକାର୍ଡ ସଂଗ୍ରହ ହେଲେ ତାହା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଯିବ। ଆଗାମୀ ୧୫ ଦିନ ମଧ୍ୟରେ ପଦକ୍ଷେପ ନିଆ ନ ଗଲେ ବାଧ୍ୟ ହୋଇ ଅନ୍ୟ ପନ୍ଥା ଆପଣାଇବା ନେଇ ଚେତାବନୀ ଉକ୍ତ ପୋଷ୍ଟ କାର୍ଡରେ ଉଲ୍ଲେଖ ରହିଛି।