ଧୂଳିଧୂଆଁରେ ଅତିଷ୍ଠ ଜୁରୁଡି ଅଞ୍ଚଳବାସୀ

ଯୋଡ଼ା, ୧୪। ୬ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଏକାଧିକ ଖଣି ଥିବା ଜୁରୁଡି ଅଞ୍ଚଳବାସୀ ଧୂଳିଧୂଆଁରେ ଅତିଷ୍ଠ ହୋଇପଡିଥିବା ବେଳେ ଖାଦ୍ୟପଦାର୍ଥରେ ଧୂଳି ଜମି ଯାଉଥିବା ଅଭିଯୋଗ ହୋଇଛି। ବିଭିନ୍ନ ଖଣି କମ୍ପାନୀ ଖଣିଜ ଉତ୍ତୋଳନ ଓ ପରିବହନ କରୁଥିବାରୁ ଅଞ୍ଚଳର ବାୟୁମଣ୍ଡଳ ଧୂଳିଧୂଆଁରେ ଆଚ୍ଛାଦିତ ହୋଇଛି। ଏପରିକି ବାମେବାରୀ-ଜୁରୁଡି ୨ନଂ ରାଜ୍ୟ ରାଜପଥ ଜରାଜୀର୍ଣ୍ଣ ହୋଇପଡିଥିବାରୁ ସ୍ଥାନୀୟବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜରାଜୀର୍ଣ୍ଣ ରାସ୍ତାରେ ଟ୍ରକ ଡମ୍ପର ଚଳାଚଳ ବେଳେ ପ୍ରବଳ ମାତ୍ରାରେ ଧୂଳି ଉଡୁଥିବାରୁ ଲୋକେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ରାସ୍ତା ମରାମତି କାର୍ଯ୍ୟ ଚାଲୁଥିଲେ ହେଁ, ଜଳସିଞ୍ଚନ ବ୍ୟବସ୍ଥା କରାଯାଉ ନାହିଁ। ଲୋକେ ରାସ୍ତାରୋକୋ ଆନ୍ଦୋଳନ କରିବାରୁ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ପରେ ବିଭିନ୍ନ ଖଣି କମ୍ପାନୀକୁ ଖଣିମଣ୍ଡଳ ରାସ୍ତାରେ ପାଣି ସିଞ୍ଚନର ଦାୟିତ୍ୱ ଦିଆଯାଇଥିଲା। ତେବେ ଏହି ଜଳସିଞ୍ଚନର ବ୍ୟବସ୍ଥା କାଁ ଭାଁ ହେଉଛି। ଏନେଇ ସ୍ଥାନୀୟ ଲୋକେ ଅନେକ ଥର ରାସ୍ତାରୋକୋ କଲେ ଦିନେ ଦୁଇଦିନ ପର୍ଯ୍ୟନ୍ତ ରାସ୍ତାରେ ପାଣି ପକାଇ ପୁଣି ବନ୍ଦ କରି ଦିଆଯାଉଛି । ଏଣୁ ଅଞ୍ଚଳରେ ଧୂଳିଧୂଆଁ ଜନିତ ପ୍ରଦୂଷଣ ନିୟନ୍ତ୍ରଣ ହୋଇପାରୁନାହିଁ। ଏଥିପ୍ରତି ତୁରନ୍ତ ଦୃଷ୍ଟି ନ ଦେଲେ ଅତିଷ୍ଠ ଅଞ୍ଚଳବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

Share