ଯୋଡ଼ା, ୧୩।୪(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ କମାରଯୋଡ଼ା ତାରିଣୀ ଛକ ଓ ବାଂଶପାଣି ଅଞ୍ଚଳବାସୀ ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଏ ନେଇ ସ୍ଥାନୀୟ ମହିଳାମାନେ ସୋମବାର ପୂର୍ବାହ୍ନରେ ଯୋଡ଼ା-ବାମେବାରୀ ୨ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଡମ୍ପର ଓ ଟ୍ରକ ସମେତ ଛୋଟ ଯାନବାହନ ଚଳାଚଳ ବନ୍ଦ ରହିଥିଲା। ଖବର ପାଇ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା। ପରେ ସେମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିବା ସହ ପ୍ରତିଦିନ ୩ ଥର ଏହି ରାଜପଥରେ ଜଳ ସିଞ୍ଚନ କରାଯାଇ ଖଣିଜ ପରିବହନ କରାଯାଉ ବୋଲି ଦାବି କରିଥିଲେ।
ପ୍ରକାଶ ଯେ, ଖଣିଗୁଡିକର ଅବଧି ସରିଯାଉଥିବାରୁ ଖଣିଜ ପରିବହନ ଅହରହ ଚାଲୁଛି। ତେଣେ ରାସ୍ତା ଦୁରବସ୍ଥା ଥିବାରୁ ଧୂଳି ଉଡ଼ି ଅଞ୍ଚଳବାସୀଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି।