ଧୂଳିର କଷ୍ଟ ଭୋଗୁଛନ୍ତି ଛାତ୍ରୀଛାତ୍ର

ଜୟପୁର,୪ା୩(ନି.ପ୍ର.) – ଜାତୀୟ ରାଜପଥ ହେଉ କିମ୍ବା ଗ୍ରାମାଞ୍ଚଳ ରାସ୍ତାଘାଟ ନିର୍ମାଣ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି, ତାକୁ ସାଧାରଣ ଲୋକେ ସ୍ବାଗତ କରୁଛନ୍ତି। କିନ୍ତୁ ଜାତୀୟ ରାଜପଥ କାର୍ଯ୍ୟ ସମୟରେ ଯେଉଁ ନିୟମ ରହିଛି, ତାକୁ ଠିକ ଭାବେ ପାଳନ କରାଯାଉ ନାହିଁ। ନିର୍ମାଣ କାମ ବେଳେ ଭୀଷଣ ଧୂଳି ଯୋଗୁ ବାୟୁ ପ୍ରଦୂଷଣ ହେବାକୁ ସହ ଲୋକଙ୍କ ସମସ୍ୟା ବଢୁଛି। ଏଥିରେ ସ୍କୁଲ, କଲେଜ ଛାତ୍ରୀଛାତ୍ର ବେଶୀ ପ୍ରଭାବିତ ହେଉଛନ୍ତି।
କୋରାପୁଟ ଜିଲା ଜୟପୁରରୁ ବୋରିଗୁମ୍ମା ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଠିକାସଂସ୍ଥାକୁ ସମ୍ପାଦନ ପାଇଁ ଦିଆଯାଇଛି। କିନ୍ତୁ ରାଜରାସ୍ତା କାର୍ଯ୍ୟ ପାଇଁ ଯେଉଁ ନିୟମ ରହିଛି, ତାହା ଏଠାରେ କାର୍ଯ୍ୟକାରୀ ହେଉ ନ ଥିବା ଦେଖିବାକୁ ମିଳୁଛି। ନିର୍ମାଣ କାର୍ଯ୍ୟ ସମୟରେ ବାୟୁ ପ୍ରଦୂଷଣ ରୋକିବା ପାଇଁ ରାସ୍ତା ଉପରେ ପାଣି ଢଳାଯିବା କଥା। କିନ୍ତୁ ଏହି କାର୍ଯ୍ୟରେ ପାଣି ନ ଢାଳିବା ଯୋଗୁ ଚାରିଆଡ଼େ ଧୂଳିର ଆସ୍ତରଣ ବସିଯାଉଛି। ଫଳରେ ଯାତାୟତରେ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପୁଣି ସେହି ରାସ୍ତାକଡ଼ରେ ଡିଗ୍ରୀ କଲେଜ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ରହିଛି। ସ୍କୁଲ, କଲେଜ ଛୁଟି ପରେ ଦୂରଦୂରାନ୍ତରୁ ଆସୁଥିବା ଛାତ୍ରୀଛାତ୍ର ସେହି ରାସ୍ତାକଡ଼ରେ ବସ୍‌କୁ ଅପେକ୍ଷା କରନ୍ତି। କିନ୍ତୁ ଧୂଳି ଉଡ଼ିବା ଯୋଗୁ ଅସ୍ବାସ୍ଥ୍ୟକର ପରିବେଶ ଭିତରେ ଅପେକ୍ଷା କରୁଛନ୍ତି ପିଲା। ଏତେ ପରିମାଣରେ ଧୂଳି ଉଡୁଛି ଯେ ତାହା ବିଦ୍ୟାଳୟ ଭିତରେ ପଶିବା ଦ୍ୱାରା ପାଠପଢ଼ାରେ ମଧ୍ୟ ସମସ୍ୟା ହେଉଛି। ବାଇକ ଆରୋହୀଙ୍କ ପାଇଁ ଏହି ରାସ୍ତା କାଳ ସାଜିଛି। ନିର୍ମାଣ କାର୍ଯ୍ୟ ବେଳେ ଧୂଳି ଉଡ଼ି ଦିନ ସମୟରେ କୁହୁଡ଼ିର ଭ୍ରମ ସୃଷ୍ଟି କରୁଛି। ଫଳରେ ଛୋଟ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Share