ଧୋଇଗଲା କଲଭର୍ଟ ପାର୍ଶ୍ୱ ରାସ୍ତା

ଫୁଲବାଣୀ ଅଫିସ,୩୦ା୮- ତୁମୁଡ଼ିବନ୍ଧ ବ୍ଲକର ଉପାନ୍ତ ତଥା ମାଓବାଦୀ ପ୍ରଭାବିତ ଅଞ୍ଚଳ ଭାବେ ପରିଚିତ ଲଙ୍କାଗଡ଼ ପଞ୍ଚାୟତ କାରୁକୁଡି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଗତ କିଛିଦିନ ଧରି ଲଗାଣବର୍ଷାରେ ଗ୍ରାମକୁ ସଂଯୋଗ କରୁଥିବା ଏକ ନାଳ ଉପରେ ନିର୍ମିତ କଲଭର୍ଟ ପାର୍ଶ୍ୱ ରାସ୍ତା ଗ୍ରାମ ପଟୁ ପ୍ରାୟ ୧୦ ଫୁଟ ଧୋଇ ହୋଇଯାଇଛି। ଫଳରେ ଗ୍ରାମବାସୀ ପାଣିରେ ପଶି ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି। ତୁରନ୍ତ ରାସ୍ତା ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମରେ ୨୨ ପରିବାର ବସବାସ କରୁଛନ୍ତି। ଲୋକ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ। ଗ୍ରାମରେ ଗୋଟିଏ ମିନି ଅଙ୍ଗନୱାଡି ଓ ଏକ ପ୍ରାଥମିକ ବିଦ୍ୟାଳୟ ରହିଛି ା ରାସ୍ତା ତୁରନ୍ତ ମରାମତି ନ ହେଲେ ଲୋକଙ୍କ ଦୁର୍ଦ୍ଦଶା ଆହୁରି ବଢ଼ିବ ା କାହା ଦେହ ଖରାପ ହେଲେ ପାଣି ଭିତରେ ଆସିବା କଷ୍ଟକର ହୋଇପଡିବ। ତେଣୁ ତୁରନ୍ତ ରାସ୍ତା ମରାମତି କରିବାକୁ ଗ୍ରାମର ମୁନିବର ମାଝି, ନବୀନ ମାଝି, ମଙ୍ଗଳ ମାଝି ପ୍ରମୁଖ ଦାବି କରିଛନ୍ତି। ଏ ନେଇ ତୁମୁଡ଼ିବନ୍ଧ ବିଡ଼ିଓ ଜୟଦେବ ଦାସ କହିଛନ୍ତି, ଲଙ୍କାଗଡ଼ ରାସ୍ତା ଠିକ ନ ଥିଲା ା ଏବେ ଠିକ୍‌ ହେଲାଣି ା ଖୁବଶୀଘ୍ର କାରୁକୁଡି ରାସ୍ତା ମରାମତି କରାଯିବ।

Share