ଧୋକା

ଏହି ସିନେମାଟିର ଟାଇଟଲରୁ ଜଣାପଡୁଛି ଯେ ନିଶ୍ଚୟ କାହାଣୀରେ କିଛି ନୂତନତ୍ୱ ରହିଛି। କିଏ କାହାକୁ ଧୋକା ଦେଉଛି, ପୁଣି କାହିଁକି ଦେଉଛି ତାହା ଫିଲ୍ମଟିକୁ ଦେଖିଲେ ହିଁ ଜାଣିପାରିବେ । ‘ଧୋକା : ଦ ଗେମ୍‌ ଅଫ ଲଭ୍‌’ ଚିତ୍ରଟି ଚଳିତ ମାସ ୭ ତାରିଖ ସନ୍ଧ୍ୟା ୬.୩୦ରେ ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେବ। ଏହାପୂର୍ବରୁ ଏହି ଚ୍ୟାନେଲ ଦ୍ୱାରା ପ୍ରଯୋଜିତ ଏବଂ ପ୍ରସାରିତ ସିନେମାଗୁଡିକ ଦର୍ଶକଙ୍କୁ ପ୍ରଭାବିତ କରିବାରେ ସକ୍ଷମ ହୋଇଛି। ଏହାର କାହାଣୀ ଅନୁସାରେ ନାୟକ ନିଜର ସାଥୀକୁ ସମସ୍ତ ଅସୁବିଧାରୁ ବଞ୍ଚେଇବାକୁ ଯାଇ ନିଜେ ପହଞ୍ଚୁଛି ଜେଲରେ। ପୁଣି ଜେଲରୁ ବାହାରି ଓଡ଼ିଶାର ଗୋଟେ ବହୁତ ବଡ ପ୍ରତିଷ୍ଠାନର ମାଲିକଙ୍କ ଝିଅକୁ ଭଲ ପାଉଛି l ବାସ୍‌, ତା’ପରେ କାହାଣୀରେ ଆସିଛି ଅପ୍ରତ୍ୟାଶିତ ମୋଡ଼ l ଆଉ ଏହାର ଶେଷ ପରିଣତି କ’ଣ ହେଉଛି ତାହା ଫିଲ୍ମଟିକୁ ସମ୍ପୂର୍ଣ୍ଣ ଦେଖିଲେ ହିଁ ଜାଣିପାରିବେ ।‘ଧୋକା’ (ଦ ଗେମ୍‌ ଅଫ୍‌ ଲଭ୍‌) ରହସ୍ୟ ଓ ରୋମାଞ୍ଚରେ ପୂର୍ଣ୍ଣ l ‘ଏହି ଫିଲ୍ମର କାହାଣୀରେ ରହସ୍ୟ, ରୋମାଞ୍ଚ ଭରି ରହିଛି, ଯାହା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ଭଲ ଲାଗିବ l ଦର୍ଶକମାନଙ୍କ ଦ୍ବାରା ଚଳଚ୍ଚିତ୍ରଟି ନିଶ୍ଚୟ ଆଦୃତି ଲାଭ କରିବ ବୋଲି ଆଶା ରଖିଛନ୍ତି ଜୀ-ସାର୍ଥକର ଚ୍ୟାନେଲ ହେଡ୍‌ ପ୍ରତୀକ ସିଲ । ଏସ୍ପିପି ପ୍ରଡକ୍ସନ ବ୍ୟାନରରେ ନିର୍ମିତ ତଥା କ୍ଷୀରୋଦ ପଟ୍ଟନାୟକଙ୍କ ପ୍ରଯୋଜିତ ଏହି ଫିଲ୍ମଟିର ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ। ସଂଳାପ ରଚନା କରିଛନ୍ତି ଓଲିଉଡ୍‌ର ଆଗଧାଡିର ତଥା ବରିଷ୍ଠ ସଂଳାପକାର ଡ. ରଜନୀ ରଞ୍ଜନ। ଚିତ୍ରଟିର ବିଭିନ୍ନ ଭୂମିକାରେ ଶୁଭାଶିଷ ଶର୍ମା (ମଣ୍ଟୁ), କୁକିଜ ସ୍ବାଇଁ, ପୃଥ୍ବୀରାଜ ନାୟକ, ଅଭୀପ୍ସା ଭଞ୍ଜ, ଜଗନ୍ନାଥ ସାହୁ ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଡ. ନିର୍ମଳ ନାୟକଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅଭିଜିତ ମଜୁମଦାର।

Share