Categories: ଖେଳ

ଧୋନୀଙ୍କୁ ଅନୁକରଣ କରିବାକୁ ଚାହାନ୍ତି କାରେ

ମୁମ୍ବାଇ,୧୨।୧(ପି.ଟି.)-ଅଷ୍ଟ୍ରେଲୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ଆଲେକ୍ସ କାରେ ଭାରତୀୟ ଅଭିଜ୍ଞ ଖେଳାଳି ମହେନ୍ଦ୍ର ସିଂ ଧୋନୀଙ୍କୁ ଅନୁକରଣ କରିବାକୁ ଚାହାନ୍ତି ବୋଲି କହିଛନ୍ତି। ଧୋନୀ ଯେଉଁଭଳି ଭାବେ ମ୍ୟାଚ୍‌ ଫିନିସ କରନ୍ତି, ଠିକ ସେହିଭଳି ଖେଳିବାକୁ ଚାହେଁ। ଖେଳରେ ମୋତେ ଆହୁରି ଉନ୍ନତି ଆଣିବାକୁ ହେବ। ଧୋନୀଙ୍କଠାରୁ ବହୁତ କିଛି ଶିଖିବାର ଅଛି। ଗତ ବର୍ଷ ଧୋନୀଙ୍କ ବିପକ୍ଷରେ ଖେଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ଭାରତରେ ପହଞ୍ଚିବା ପରେ ମୁମ୍ବାଇରେ କାରେ ଖବରଦାତାମାନଙ୍କୁ କହିଛନ୍ତି। ଆସନ୍ତା ୧୪ ତାରିଖରେ ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ପ୍ରଥମ ଦିନିକିଆ ମ୍ୟାଚ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି। ଏଠାରେ ଅଭ୍ୟାସ କରିବା ପୂବରୁ କାରେ ଦଳର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତ ବିପକ୍ଷ ସିରିଜ ଆଦୌ ସହଜ ହେବ ନାହିଁ। ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମିଙ୍କ ଭଳି ଦ୍ରୁତ ବୋଲରଙ୍କୁ ସାମ୍ନା କରିବା ନିଶ୍ଚିତ ଭାବେ କଷ୍ଟକର ବୋଲି କାରେ ସ୍ବୀକାର କରିଛନ୍ତି।
ଆମ ଦଳରେ ଆରୋନ ଫିଞ୍ଚ, ଡେଭିଡ ଓ୍ବାର୍ନର, ଷ୍ଟିଭ୍‌ ସ୍ମିଥ, ମାର୍ନସ ଲାବୁସେନଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି। ଗତ ଦିନିକିଆ ସିରିଜରେ ଆମେ ଘରୋଇ ଭାରତକୁ ୩-୨ରେ ପରାସ୍ତ କରିଥିଲୁ। ଏଥର ଆହୁରି ଭଲ ପ୍ରଦର୍ଶନ କରିବୁ। ପୂର୍ବରୁ ଭାରତ ମାଟିରେ ଅଷ୍ଟ୍ରେଲିଆ ଭଲ ପ୍ରଦର୍ଶନ କରିଆସିଛି। ଏଥର ମଧ୍ୟ ସିରିଜ ଜିତିବାକୁ ପ୍ରୟାସ କରିବୁ ବୋଲି କାରେ କହିଛନ୍ତି।

Share