Categories: ଖେଳ

ଧୋନୀଙ୍କୁ ମନେପକାଇଲେ ପାକିସ୍ତାନ କ୍ରିକେଟରଙ୍କ ସ୍ତ୍ରୀ

କରାଚି,୨୨।୧୦: ପାକିସ୍ତାନ କ୍ରିକେଟ ଟିମର କ୍ୟାପଟେନ ସରଫରାଜ ଅହମ୍ମଦଙ୍କୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଟେଷ୍ଟ ଓ ଟି-୨୦ ଅନ୍ତର୍ଜାତୀୟ ଟିମର କ୍ୟାପଟେନ ପଦରୁ ବହିଷ୍କାର କରିଛି। ତାଙ୍କ ସ୍ଥାନରେ ଆଝାର ଅଲୀଙ୍କୁ ଟେଷ୍ଟ ଏବଂ ବାବର ଆଜମଙ୍କୁ ଟି-୨୦ ଦଳର କ୍ୟାପଟେନ ଭାବେ ନିଯୁକ୍ତ କରିଛି। କେବଳ ଏତିକି ନୁହେଁ, ଉଇକେଟକିପର ବ୍ୟାଟ୍ସମ୍ୟାନ ସରଫରାଜଙ୍କୁ ମଧ୍ୟ ଟେଷ୍ଟ ଓ ଟି-୨୦ ଟିମରୁ ବାଦ ଦିଆଯାଇଛି। ବୋର୍ଡର ଏଭଳି ନିଷ୍ପତ୍ତି ପରେ ସେ କ୍ରିକେଟରୁ ସନ୍ୟାସ ନେଇଯିବେ ବୋଲି ଚର୍ଚ୍ଚା ଉଠିଛି। ତାଙ୍କୁ ଦଳରୁ ବାଦ୍‌ ଦିଆଯିବା ପରେ ମୁହଁ ଖୋଲିଛନ୍ତି ସ୍ତ୍ରୀ ଖୁସବହତ। ସେ କହିଛନ୍ତି, ସରଫରାଜ ଅବସର ନେବା ପ୍ରଶ୍ନ ଉଠୁନି। ନିଜ ପ୍ରଦର୍ଶନ ଜରିଆରେ ସେ ପୁଣିଥରେ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ। ସେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଉଦାହରଣ ଦେଇ କହିଛନ୍ତି, ୩୮ ବର୍ଷ ହେବା ସତ୍ତ୍ୱେ ଧୋନୀ କ୍ରିକେଟ ଖେଳୁଛନ୍ତି। ତେବେ ସରଫରାଜଙ୍କୁ ଏବେ ମାତ୍ର ୩୨ ବର୍ଷ ସେ କେମିତି ଅବସର ନେବେ ବୋଲି ଖୁସବହତ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ସରଫରାଜଙ୍କ ନେତୃତ୍ୱରେ ପାକିସ୍ତାନ ୧୩ ମ୍ୟାଚ ଖେଳି ୪ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ହାରିଛି। ଗୋଟିଏ ଟେଷ୍ଟ ଡ୍ର’ ହୋଇଛି। ବିଶ୍ୱକପରେ ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ସର୍ଫରାଜଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଛି। ଚଳିତମାସ ଆରମ୍ଭରୁ ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରେ ପାକିସ୍ତାନ ମୂଳପୋଛ ହେବା ପରେ ତାଙ୍କ ନେତୃତ୍ୱ ଦକ୍ଷତାକୁ ନେଇ ଆହୁରି ପ୍ରଶ୍ନ ଉଠିଥିଲା।

Share