Categories: ଖେଳ

ଧୋନୀଙ୍କୁ ଲତା ମଙ୍ଗେସ୍କରଙ୍କ ସମର୍ଥନ

ମୁମ୍ବାଇ,୧୧।୭ (ପି.ଟି.)- ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କ ପାଇଁ ଏବେ କୋକିଳ କଣ୍ଠୀ ଲତା ମଙ୍ଗେସ୍କର ବାହାରିଛନ୍ତି। ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାଜୟ ପରେ ଏବେ ଟିମ୍‌ ଇଣ୍ଡିଆ ଓ ଭାରତୀୟ କ୍ରିକେଟରଙ୍କୁ ସବୁ ମହଲରୁ ସମାଲୋଚନା କରାଯାଉଛି। ଧୋନୀଙ୍କୁ ମଧ୍ୟ କେତେକ ପରାଜୟ ପାଇଁ ଦାୟୀ କରୁଛନ୍ତି। ତେବେ ଲତା ଧୋନୀଙ୍କ ସମର୍ଥନ କରିଛନ୍ତି । ଅବସର କଥା ଚିନ୍ତା ନ କରିବାକୁ ସେ  ଧୋନୀଙ୍କୁ ପରାମର୍ଶ ଦେଇଛନ୍ତି। ଖୁବଶୀଘ୍ର ଯେକୌଣସି ମୁହୂର୍ତ୍ତରେ ଭାବପ୍ରବଣ ହୋଇ ଅବସର ନିଷ୍ପତ୍ତି ନେବାକଥା ଚିନ୍ତା କରିବାଠାରୁ ଦୂରରେ ରହିବାକୁ ସେ  କହିଛନ୍ତି। ଏବେ ବି ଧୋନୀଙ୍କ ନିକଟରେ ବହୁତ କ୍ରିକେଟ ବାକି ରହିଛି।  ଦେଶ ତାଙ୍କୁ ଏବେ ମଧ୍ୟ ଆବଶ୍ୟକ କରୁଛି। ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାନାଲ ମ୍ୟାଚ୍‌ରେ ଭାରତ ୧୮ ରନରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା। ଏଥିସହିତ ଟୁର୍ନାମେଣ୍ଟ ଫେଭରାଇଟ ଭାରତ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲା।
୮୭ ବର୍ଷୀୟା ଲତା କ୍ରିକେଟର ଜଣେ ବଡ଼ ପ୍ରଶଂସିକା। ସେ ଟୁଇଟ୍‌ କରି ଧୋନୀଙ୍କ ସମ୍ପର୍କରେ ନିଜର ମତ ରଖିଛନ୍ତି। ଭାରତର ପରାଜୟ ପରେ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ହୀନ୍ଦିରେ ସେ ଟୁଇଟ୍‌ କରି ଧୋନୀଙ୍କ ସମର୍ଥନରେ ବାହାରିଛନ୍ତି। ଉଲ୍ଲେଖଥାଉ କି, ଧୋନୀ ସେମିଫାଇନାଲ ମ୍ୟାଚ୍‌ରେ ୫୦ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ସେହିପରି ରବୀନ୍ଦ୍ର ଜାଡେଜା ମଧ୍ୟ ଦ୍ରୁତ ୭୭ ରନ ସଂଗ୍ରହ କରିଥିଲେ। ସପ୍ତମ ଉଇକେଟ ଯୋଡିରେ ଏହି ଦୁଇ ବ୍ୟାଟ୍ସମ୍ୟାନ ୧୧୬ ରନ କରିଥିଲେ ମଧ୍ୟ ଭାରତକୁ ବିଜୟୀ କରିପାରି ନ ଥିଲେ।

Share