ଧୋନୀଙ୍କ ଗ୍ଲୋଭ୍ସରେ ସ୍ବତନ୍ତ୍ର ଚିହ୍ନ

ସାଉଥାମ୍ପଟନ, ୬।୬- ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ବତନ୍ତ୍ର ଗ୍ଲୋବ୍ସ ବ୍ୟବହାର କରୁଥିବାର ଦେଖିବାକୁ ମିଳିଛି। ତାଙ୍କ ଉଇକେଟକିପିଂ ଗ୍ଲୋବ୍ସରେ ବଳୀଦାନର ଚିହ୍ନ ରହିଥିଲା, ଯାହାକି ଭାରତୀୟ ପାରା ସ୍ପେଶାଲ ଫୋର୍ସର ପ୍ରତୀକ। ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଆଣ୍ଡିଲେ ଫେଲୁକ୍ୱାୟୋଙ୍କୁ ଷ୍ଟମ୍ପିଂ କରିବାବେଳେ ଧୋନୀଙ୍କ ଗ୍ଲୋବ୍ସରେ ଲାଗିଥିବା ଚିହ୍ନ ସ୍ପଷ୍ଟ ଭାବେ ଦେଖାଯାଇଥିଲା। ଏଥିନେଇ ଟୁଇଟ୍‌ରେ ପ୍ରଶଂସକମାନେ ଧୋନୀଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ୨୦୧୧ରେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ଲିଫ୍ଟନେଣ୍ଟ କର୍ନେଲର ମର୍ଯ୍ୟଦା ସମ୍ପନ୍ନ ପଦବୀ ଦିଆଯାଇଥିଲା। ସେ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ପାରା ରେଜିମେଣ୍ଟରେ ଟ୍ରେନିଂ ନେଇଥିଲେ। ଆଗ୍ରାରେ ଟ୍ରେନିଂ କୋର୍ସବେଳେ ଧୋନୀ ୫ ଥର ପାରାଚ୍ୟୁଟ ଜମ୍ପ କରିଥିଲେ ବୋଲି ବିଶ୍ୱାସ କରାଯାଏ। ଭାରତୀୟ ଆର୍ମି ପ୍ରତି ଥିବା ତାଙ୍କ ଭଲ ପାଇବାକୁ ଧୋନୀ ବହୁ ବାର ଲୋକଙ୍କ ନଜରକୁ ଆଣିଛନ୍ତି। ଚଳିତ ବର୍ଷ ଧୋନୀ ଓ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଆର୍ମି କ୍ୟାପ ପିନ୍ଧି ଅଷ୍ଟ୍ରେଲିଆ ବିପକ୍ଷରେ ରାଞ୍ଚତ୍ଠାରେ ଖେଳିଥିଲେ।

Share