ଧୋନୀଙ୍କ ଠାରୁ ଅନେକ କିଛି ଶିଖିବାର ଅଛି

ଦୀର୍ଘବର୍ଷ ଧରି ଓଡ଼ିଶା କ୍ରିକେଟ ଦଳର ଫିଜିଓ ଦାୟିତ୍ୱରେ ଅଛନ୍ତି ଶୁଭକାନ୍ତ ସାହୁ। ଏପରିକି ପ୍ରଥମ ଓଡ଼ିଆ ଭାବେ ବିସିସିଆଇର ଲେଭଲ-୧ ଫିଜିଓ କୋର୍ସରେ ସେ ଉନ୍ନୀତ ହୋଇଥିଲେ। ପିତା ନବକିଶୋର ସାହୁ ଓ ମା’ ଶାନ୍ତିଲତା ସାହୁଙ୍କ ପୁଅ ଶୁଭକାନ୍ତଙ୍କ ଘର ଢ଼େଙ୍କାନାଳ ଜିଲାରେ। ଏବେ ରହୁଛନ୍ତି କଟକ ସିଡିଏରେ । ଏଥର ତାଙ୍କ ଅନୁଭୂତିରୁ କିଛି..

ଅନେକ କିମ୍ବଦନ୍ତୀ କ୍ରିକେଟ ଖେଳାଳିଙ୍କ ସହ ଭେଟ ହୋଇଛି। ଭାରତକୁ ଗୌରବାନ୍ବିତ କରିଥିବା ଅନେକ ଖ୍ୟାତନାମା କ୍ରିକେଟରଙ୍କ ସହ ସମୟ ମଧ୍ୟ ଅତିବାହିତ କରିଛି। ହେଲେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ଯେତିକିି ସମୟ କାଟିଛି ତାହା ନିଆରା ଥିଲା। ଧୋନୀଙ୍କ ଭିତରେ ଭଲ ଗୁଣଗୁଡ଼ିକ ଭର୍ତ୍ତି ହୋଇରହିଛି। ସ୍ପୋର୍ଟସମ୍ୟାନ ସ୍ପିରିଟ ବୋଲି ଥିବା ଶବ୍ଦ ତାଙ୍କ ନିକଟରେ ହିଁ ପ୍ରଯୁଜ୍ୟ। ଗତ ସୟଦ ମୁସ୍ତାକ ଅଲ୍ଲୀ ଟି ୨୦ ଟୁର୍ନାମେଣ୍ଟରେ ଝାଡ଼ଖଣ୍ଡରେ ଘରୋଇ ଝାଡ଼ଖଣ୍ଡ ଦଳ ବିପକ୍ଷରେ ଆମର ଏକ ମ୍ୟାଚ୍‌ ଥିଲା। ଅଭ୍ୟାସ ଚାଲିଥିବା ବେଳେ ସେ ଆସି ଷ୍ଟାଡିୟମରେ ପହଞ୍ଚିଥିଲେ। ତାଙ୍କ ସହ କଥାବାର୍ତ୍ତା ବେଳେ ଅନୁଭବ ବି ହୋଇ ନ ଥିଲା ଯେ ସେ ଜଣେ ମହାନ କ୍ରିକେଟର ଆଖ୍ୟା ବହନ କରୁଛନ୍ତି ବୋଲି। କାଣିଚାଏ ଗର୍ବ କି ଅହଂକାର କେହି ତାଙ୍କ ନିକଟରେ ପାଇବେନି। ଓଡ଼ିଶା ଖେଳାଳିଙ୍କ ସହ ବହୁତ ସମୟ ଧରି କଥା ହୋଇଥିଲେ। ଏପରିକି ଓଡ଼ିଆ ଖେଳାଳିଙ୍କୁ ବ୍ୟାଟିଂ, କିପିଂ ଟିପ୍ସ ମଧ୍ୟ ଦେଇଥିଲେ। କେବଳ କ୍ରିକେଟ ଖେଳାଳି ନୁହନ୍ତି, ସାଧାରଣ ମଣିଷଟିଏ ମଧ୍ୟ ତାଙ୍କ ନିକଟରୁ ଅନେକ କିଛି ଶିଖିବାକୁ ପାଇବ।
ଅନ୍ୟ ଏକ ଅନୁଭୂତି ସମ୍ପର୍କରେ ଶୁଭକାନ୍ତ କହିଥିଲେ, ୨୦୧୮ ଆଇପିଏଲ ସିଜ୍‌ନରେ ଚେନ୍ନାଇ ସୁପର କିଙ୍ଗ୍ସ ଚାମ୍ପିୟନ ହୋଇଥିଲା। ଯେଉଁଦିନ ଫାଇନାଲ ମ୍ୟାଚ୍‌ ସରିଲା ତା ପରଦିନ ଧୋନୀ ଝାଡ଼ଖଣ୍ଡ ଷ୍ଟାଡିୟମରେ ଅଭ୍ୟାସ କରିବାକୁ ଆସିଥିଲେ। ପୂର୍ବାଞ୍ଚଳ ଜୁନିୟର ଦଳର ଶିବିର ସେହି ଷ୍ଟାଡିୟମରେ ଚାଲିଥାଏ। ମୁଁ ପୂର୍ବାଞ୍ଚଳ ଦଳର ଫିଜିଓ ଥିଲି। ଧୋନୀଙ୍କୁ ପଚାରିଥିଲି ଯେ, ଗତକାଲି ଏକ ଲମ୍ବା ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଖେଳି ଆଜି ପୁଣି ଅଭ୍ୟାସକୁ ଆସିବା କ’ଣ ଜରୁରୀ ଥିଲା? ଏହାର ଉତ୍ତରରେ ସେ କହିଥିଲେ, ଯଦି ଆମେ ସବୁଦିନ ଆମ ଟାର୍ଗେଟକୁ ନେଇ ପରିଶ୍ରମ ନ କରିବା ତା’ ହେଲେ ଟାର୍ଗେଟ ଆମଠାରୁ ଦୂରେଇଯିବ। ବୋଧ ହୁଏ ଧୋନୀଙ୍କ ଠାରୁ ଅନେକ କିଛି ଶିଖିବା ବାକି ରହିଛି ବୋଲି କୁହନ୍ତି ଶୁଭକାନ୍ତ ।

Share