Categories: ଖେଳ

ଧୋନୀଙ୍କ ପରାମର୍ଶ ମୋତେ ଶତକରୁ ବଞ୍ଚିତ ରଖିଥିଲା: ଗମ୍ଭୀର

ନୂଆଦିଲ୍ଲୀ,୧୮।୧୧- ପୂର୍ବତନ ଭରତୀୟ ଓପ୍‌ନର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିକଟ ଅତୀତରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି। ଭାରତ-ବାଂଲାଦେଶ ମ୍ୟାଚ୍‌ବେଳେ ତାଙ୍କ ଜିଲାପି ଖାଇବାର ଫଟୋ ଭାଇରାଲ ହେବାଠାରୁ ଆରମ୍ଭ କରି ପ୍ରଦୂଷିତ ଦିଲ୍ଲୀ ସମ୍ପର୍କିତ ସଂସଦୀୟ ବୈଠକରେ ଅନୁପସ୍ଥିତ ରହିବା ପର୍ଯ୍ୟନ୍ତ ଖବରରେ ଶିରୋନାମା ମଣ୍ଡନ କରିଛନ୍ତି। ବିଶ୍ୱକପ୍‌ ଫାଇନାଲରେ ୯୭ ରନ୍‌ରେ ଆଉଟ୍‌ ହେବା ଲାଗି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦୋଷ ଦେଇଛନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍‌ ଫାଇନାଲରେ ଧୋନୀଙ୍କ ପରାମର୍ଶ ଯୋଗୁ ଶତକ ପୂରଣ କରିପାରି ନ ଥିଲି। ଏ ସମ୍ପର୍କରେ ମୋତେ ବହୁବାର ପ୍ରଶ୍ନ କରାଯାଉଛି। ୯୭ ରନ୍‌ରେ ଆଉଟ ହେବା ପୂର୍ବରୁ କଦାପି ମୋ ବ୍ୟକ୍ତିଗତ ସ୍କୋର କଥା ଚିନ୍ତା କରି ନ ଥିଲି। ମୋର ଏବେ ବି ମନେଅଛି, ଏକ ଓଭର ଶେଷହେବା ପରେ ମୁଁ ଓ ଧୋନୀ କ୍ରିଜ୍‌ରେ ଥିଲୁ। ସେତେବେଳେ ଅଧିନାୟକ ମୋତେ ଆଉ ୩ ରନ୍‌ କରି ଶତକ ପୂରଣ କରିବାକୁ କହିଥିଲେ। ହଠାତ୍‌ ଦଳୀୟ ପ୍ରଦର୍ଶନରୁ ବ୍ୟକ୍ତିଗତ କଥା ମନକୁ ଆସିଥିଲା। ଏହି ମୁହୂର୍ତ୍ତ ପୂର୍ବରୁ ମ୍ୟାଚ୍‌ ଜିତିବା ମୋର ଏକମାତ୍ର ଟାର୍ଗେଟ ଥିଲା। ଯଦି ଏହାକୁ ହିଁ ଲକ୍ଷ୍ୟ କରି ଖେଳିଥାନ୍ତି, ମୁଁ ସହଜରେ ଶତକ ହାସଲ କରିଥାନ୍ତି ବୋଲି ଗମ୍ଭୀର କହିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଆଉଟ ହୋଇ ଡ୍ରେସିଂ ରୁମ୍‌ ଫେରିଥିଲି। ଏହି ୩ ରନ୍‌ ମୋତେ ସାରା ଜୀବନ କଷ୍ଟଦେବ ବୋଲି ଚିନ୍ତା କରିଥିଲି। ଏହା ହିଁ ସତ ହେଲା। ଆଜିର ଦିନରେ ମଧ୍ୟ ଲୋକେ ମୋତେ ସେ ସମ୍ପର୍କରେ ପଚାରନ୍ତି। ଉଲ୍ଲେଖଥାଉ କି, ଗମ୍ଭୀର ୯୭ ରନ୍‌ରେ ଆଉଟ୍‌ ହେବା ପରେ ଧୋନୀ ଛକା ଲଗାଇ ଭାରତୀୟ ଦଳକୁ ବିଶ୍ୱକପ୍‌ ଜିତାଇବା ସହ ୯୧ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ। ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ମଧ୍ୟ ହାତେଇ ନେଇଥିଲେ।

Share