Categories: ଖେଳ

ଧୋନୀଙ୍କ ପାଇଁ ପାଇଜାମା ମଧ୍ୟ ବିକି ଦେବେ ଶାହରୁଖ ଖାନ୍‌

ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟର ସବୁଠୁ ବଡ଼ ଖେଳାଳି କୁହାଯାଇ ନ ପାରେ। ମାତ୍ର ଅଧିନାୟକଙ୍କ କ୍ଷେତ୍ରରେ ସେ ଶ୍ରେଷ୍ଠ। ତାଙ୍କୁ ଆଇପିଏଲରେ କିଣିବା ପାଇଁ ସମସ୍ତ ଫ୍ରାଞ୍ଚାଇଜ ଆଗଭର। ଏକଦା ଧୋନୀଙ୍କ ସମ୍ପର୍କରେ କୋଲକତା ନାଇଟ୍‌ ରାଇଡର୍ସ (କେକେଆର) ମାଲିକ ତଥା ବଲିଉଡର ସୁପରଷ୍ଟାର ଶାହରୁଖ ଖାନ କହିଥିଲେ, ତାଙ୍କୁ କିଣିବା ପାଇଁ ମୋ ପାଇଜାମା ମଧ୍ୟ ବିକି ପାରିବି। କିନ୍ତୁ ସେ ଖେଳାଳିଙ୍କ ନିଲାମ ପ୍ରକ୍ରିୟାକୁ ଆସନ୍ତି ନାହିଁ। ଉଲ୍ଲେଖଥାଉ, ଧୋନୀ କେବଳ ଥରେ ୨୦୦୮ରେ ଆଇପିଏଲ ଅକ୍‌ଶନର ସମ୍ମୁଖୀନ ହୋଇଥିଲେ। ସେଥର ସମସ୍ତ ୮ ଫ୍ରାଞ୍ଚାଇଜ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଆଇପିଏଲ ଇତିହାସରେ ଏହା ପ୍ରଥମ ଘଟଣା। ପ୍ରତ୍ୟେକ ଦଳ ଧୋନୀଙ୍କ ପାଇଁ ୫୦ ଲକ୍ଷ ଟଙ୍କାର ସୀମା ଅତିକ୍ରମ କରିଥିଲେ। ଶେଷରେ ତାଙ୍କୁ ୧ କୋଟି ୪୦ ଲକ୍ଷ ଟଙ୍କାରେ ସିଏସ୍‌କେ କିଣିଥିଲା। ଏବେ ପୂର୍ବତନ ଭାରତୀୟ ଅଧିନାୟକଙ୍କୁ ସିଜନ ପ୍ରତି ସିଏସ୍‌କେ ୧୫ କୋଟି ଟଙ୍କାର ସାଲାରି ଦେଉଛି। ୨୦୦୮ ପରେ ଧୋନୀ କଦାପି ଅକ୍‌ଶନର ସମ୍ମୁଖୀନ ହୋଇନାହାନ୍ତି। ମାତ୍ର ୨୦୨୧ ଆଇପିଏଲ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସମ୍ଭବତଃ ତାଙ୍କ ନାମ ସ୍ଥାନ ପାଇପାରେ। ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଆଇପିଏଲର ଅନ୍ୟତମ ସଫଳ ଦଳ। ଏହି ଦଳ ୩ ଥର ଚାମ୍ପିୟନ ହୋଇଥିବାବେଳେ ୪ଥର ଉପବିଜେତା ହୋଇସାରିଛ। ଏହାବାଦ୍‌ ସିଏସ୍‌କେ ଚାମ୍ପିୟନ୍ସ ଲିଗ୍‌ ମଧ୍ୟ ଦୁଇ ଥର ଜିତିଛି।

Share