Advertisement

‘ଧୋନୀଙ୍କ ପାଖରେ ଏବେ ବହୁତ କ୍ରିକେଟ ବାକି ଅଛି’

ନୂଆଦିଲ୍ଲୀ,୧୨।୭(ପି.ଟି.)- ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବାଦ୍‌ ପଡିଥିଲେ ମଧ୍ୟ ଭାରତୀୟ ଦଳକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କାର୍ଯକାରୀ ସଭାପତି ସି.କେ. ଖାନ୍ନା ଓ ପ୍ରଶାସକ କମିଟି (ସିଓଏ) ସଦସ୍ୟା ଡାଇନା ଇଦୁଜୀ ମଧ୍ୟ ଭାରତର ପ୍ରଦର୍ଶନକୁ ପ୍ରଶଂସା କରିଛନ୍ତି। ଲିଗ୍‌ ପର୍ଯ୍ୟାୟରେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଥିଲା। ଦଳ ଭଲ ପ୍ରଦର୍ଶନ କରିଥିଲା। ତେବେ ଦୁର୍ଭାଗ୍ୟଜନକ ଭାବେ ମ୍ୟାଚ୍‌ ବର୍ଷା କାରଣରୁ ଦ୍ୱିତୀୟ ଦିନକୁ ଯାଇଥିଲା। ସଅଳ ୩ଟି ଉଇକେଟ ହରାଇ ଭାରତ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଥିଲା ବୋଲି ଇଦୁଲଜୀ କହିଛନ୍ତି। ତେବେ ରବୀନ୍ଦ୍ର ଜାଡେଜା ଓ ମହେନ୍ଦ୍ର ସିଂ ଧୋନୀ ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ। ଜାଜେଡା ଓ ଧୋନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ ବୋଲି ସେ କହିଛନ୍ତି।
ଭାରତ ହାରିବା ପରେ ଧୋନୀଙ୍କ ଅବସର ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହାକୁ ଇଦୁଲଜୀ ନାପସନ୍ଦ କରିଛନ୍ତି। ବିଶ୍ୱକପ୍‌ରେ ଧୋନୀ ସାରା ଦୁନିଆକୁ ନିଜର ଦକ୍ଷତା ପ୍ରଦର୍ଶନ କରିଛନ୍ତି। ତାଙ୍କ ପାଖରେ ଏବେବି ବହୁତ କ୍ରିକେଟ ବାକି ଅଛି ବୋଲି ସେ ପ୍ରମାଣିତ କରିଛନ୍ତି। ସାରା ଟୁର୍ନାମେଣ୍ଟରେ ଧୋନୀଙ୍କ ପ୍ରଦର୍ଶନ ପ୍ରଶଂସନୀୟ। ବ୍ୟକ୍ତିଗତ ଭାବେ ତାଙ୍କ ପ୍ରଦର୍ଶନକୁ ପ୍ରଶଂସା କରୁଛି। ସେ ନିଜେ ଅବସର ସମ୍ପର୍କରେ ନିଷ୍ପତ୍ତି ନେବେ। ଦଳରେ ଥିବା ଯୁବ କ୍ରିକେଟ ତାଙ୍କଠାରୁ ଏବେ ବି ବହୁତ କିଛି ଶିକ୍ଷା କରିପାରିବେ ବୋଲି ଇଦୁଲଜୀ କହିଛନ୍ତି। ଅନ୍ୟପଟେ ଖାନ୍ନା ମଧ୍ୟ ଭାରତୀୟ ଦଳକୁ ପ୍ରଶଂସା କରିଛନ୍ତି। ଲିଗ୍‌ ପର୍ଯ୍ୟାରେ ଭାରତ ଭଲ ଖେଳିଲା। କୌଣସି ଖେଳାଳି ହାରିବାକୁ ଚାହିଁ ନ ଥାନ୍ତି। ସବୁ ଖେଳାଳି ବିଜୟୀ ହେବା ପାଇଁ ପ୍ରୟାସ କରିଛନ୍ତି। ତେବେ ବିଜୟୀ ପାଇଁ ନ୍ୟୁଜିଲାଣ୍ଡକୁ ଅଭିନନ୍ଦନ ଜଣାଉଛି ବୋଲି ଖାନ୍ନା କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share