Categories: ଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

ନୂଆଦିଲ୍ଲୀ,୭।୮- ଭାରତୀୟ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଭେଟେରାନ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଗୁୟାନାଠାରେ ଖେଳାଯାଇଥିବା ୩ୟ ଟି୨୦ ମ୍ୟାଚ୍‌ରେ ପନ୍ତ ୬୫ ରନ୍‌ର ବିଜୟୀ ଇନିଂସ ଖେଳିଥିଲେ। ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଏହା ଭାରତୀୟ ଉଇକେଟକିପରଙ୍କ ଲାଗି ସର୍ବାଧିକ ସ୍କୋର। ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାମରେ ଥିଲା। ତାଙ୍କ ଟି୨୦ କ୍ୟାରିୟରର ସର୍ବାଧକ ସ୍କୋର ହେଉଛି ୫୬। ସେ ବେଙ୍ଗାଲୁରୁଠାରେ ଇଂଲଣ୍ଡ ବିପକ୍ଷରେ ୨୦୧୭ରେ ଏହି ଇନିଂସ ଖେଳିଥିଲେ। ଧୋନୀଙ୍କ ଅନୁପସ୍ଥିତିରେ ଓ୍ବେଷ୍ଟଇଣ୍ଡିଜରେ ସମସ୍ତ ଫର୍ମାଟ ପାଇଁ ଦଳରେ ଚୟନ ହୋଇଥିବା ପନ୍ତ ଅଧିନାୟକ ବିରାଟ କୋହଲିଙ୍କ ସହ ମିଶି ୧୦୬ ରନ୍‌ର ଭାଗୀଦାରି କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଦମ୍‌ରେ ଭାରତୀୟ ଦଳ ୧୪୭ ରନ୍‌ର ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଏଥିସହ ୩ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ଭାରତ ପୋଛି ନେଇଛି।

Share