ଧୋନୀଙ୍କ ସପକ୍ଷରେ କୋହଲି

ବର୍ମିଂହାମ,୧ା୭- ଏଠାରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ୩୧ ରନ୍‌ରେ ପରାଜିତ ହୋଇଛି। ଅନ୍ତିମ ଓଭରଗୁଡ଼ିକରେ ମହେନ୍ଦ୍ର ସିଂ ଧୋନୀଙ୍କ ଧିମା ବ୍ୟାଟିଂ ଏହି ପରାଜୟର ମୁଖ୍ୟ କାରଣ ବୋଲି ପୂର୍ବତନ କ୍ରିକେଟର ଓ ପ୍ରଶଂସକ ସମାଲୋଚନା କରୁଛନ୍ତି। ହେଲେ ଭାରତୀୟ ଅଧିନାୟକ ବିରାଟ କୋହଲି ମେଣ୍ଟର ଧୋନୀଙ୍କୁ ସମର୍ଥନ ଦେଇଛନ୍ତି। ଧୋନୀ ବଡ଼ ହିଟ୍‌ ପାଇଁ ପ୍ରାୟସ କରିଥିଲେ, କିନ୍ତୁ ତାହା ହୋଇ ନ ଥିଲା। ଇଂଲଣ୍ଡ ବୋଲରମାନେ ମାପିଚୁପି ବୋଲିଂ କରିଥିଲେ। ଏଣୁ ଇନିଂସର ଅନ୍ତିମ ଭାଗରେ ବ୍ୟାଟିଂ କରିବା କଷ୍ଟକର ଥିଲା। ପରବର୍ତ୍ତୀ ମ୍ୟାଚ୍‌ରେ ଆମେ ଉନ୍ନତ ପ୍ରଦର୍ଶନ କରିବାକୁ ଉଦ୍ୟମ କରିବୁ ବୋଲି ମ୍ୟାଚ୍‌ ପରେ କୋହଲି କହିଛନ୍ତି। ସେ ଏଜ୍‌ବାଷ୍ଟନ ଗ୍ରାଉଣ୍ଡକୁ ସମାଲୋଚନା କରି କହିଛନ୍ତି, ଏଭଳି ଫ୍ଲାଟ ପିଚ୍‌ରେ ଟସ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ। ଗ୍ରାଉଣ୍ଡର ଗୋଟିଏ ପକ୍ଷର ସୀମା ବହୁତ ଛୋଟ। ଫଳରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଭାରତୀୟ ସ୍ପିନରଙ୍କୁ କ୍ରମାଗତ ସୁଇପ ଶଟ୍‌ ଲଗାଇଥିଲେ। ମାତ୍ର ମିଟର ୫୯ ବାଉଣ୍ଡ୍ରି ଥିବାରୁ ଏଥିରେ ଫିଲ୍ଡର କିମ୍ବା ବୋଲର କିଛି ପାରି ନ ଥିଲେ। ଉଲ୍ଲେଖଥାଉ କି, ହାର୍ଦ୍ଦିକ ପାଣ୍ଡ୍ୟା ୪୫ତମ ଓଭରର ୫ମ ବଲରେ ଆଉଟ୍‌ ହୋଇଥିଲେ। ଏହିଠାରୁ ଟିମ୍‌ ଇଣ୍ଡିଆକୁ ଜିତିବା ଲାଗି ବଳକା ୩୧ ବଲରେ ୭୧ ରନ୍‌ ଦରକାର ଥିଲା। ୧୩ ବଲରୁ ୧୬ ରନ୍‌ କରିଥିବା ଧୋନୀଙ୍କ ସହ କ୍ରିଜ୍‌ରେ ଯୋଗଦେଇଥିଲେ କେଦାର ଯାଦବ। ଏହି ଭାଗୀଦାରିରେ ଗୋଟିଏ ଛକା, ୩ ଚୌକା, ୨୦ ସିଙ୍ଗଲ କରିବା ସହ ୭ ଡଟ୍‌ ବଲ ଖେଳିଥିଲେ।

Share