Categories: ଖେଳ

ଧୋନୀଙ୍କ ସପକ୍ଷରେ ସଚିନ

ବର୍ମିଂହାମ, ୩।୭ (ପି.ଟି.): ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ଭେଟେରାନ ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟାଟିଂରେ କୌଣସି ତ୍ରୁଟି ଦେଖିବାକୁ ମିଳି ନ ଥିଲା ବୋଲି କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର କହିଛନ୍ତି। ନିକଟରେ ସଚିନ କିନ୍ତୁ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ ପରେ ଧୋନୀଙ୍କୁ ତାଙ୍କ ଧିମା ବ୍ୟାଟିଂ ଲାଗି ସମାଲୋଚନା କରିଥିଲେ। ଧୋନୀଙ୍କର ‘ଇଚ୍ଛା ଶକ୍ତିର ଅଭାବ’ ରହିଛି ବୋଲି କହି ସଚିନ ସେତେବେଳେ ତାଙ୍କୁ ସମାଲୋଚନା କରିଥିଲେ।
ବିପକ୍ଷ ମ୍ୟାଚ୍‌ରେ ଧୋନୀ ୩୩ ବଲରୁ ୩୫ ରନ କରିଥିବାବେଳେ ଭାରତ ଶେଷ ୧୦ ଓଭରରୁ ମାତ୍ର ୬୩ ରନ ସଂଗ୍ରହ କରିବାରେ ସଫଳ ହୋଇଥିଲା। ଏହି ଧିମା ବ୍ୟାଟିଂକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ ଧୋନୀଙ୍କୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସଚିନ ଏହି ଇନିଂସକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ଧୋନୀଙ୍କ ସପକ୍ଷରେ ବାହାରିଛନ୍ତି। ‘ମୋତେ ଲାଗୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଥିଲା। ସେ (ଧୋନୀ) ତାହା କରିଛନ୍ତି, ଯାହା ଟିମ୍‌ ପାଇଁ ଠିକ୍‌ ଥିଲା। ଯଦି ସେ ୫୦ ଓଭର ପର୍ଯ୍ୟନ୍ତ କ୍ରିଜରେ ରହୁଛନ୍ତି, ତେବେ ତାଙ୍କ ସାଥୀରେ ଖେଳୁଥିବା ଅନ୍ୟ ଖେଳାଳିଙ୍କୁ ସାହାଯ୍ୟ କରିପାରିବେ। ତାଙ୍କଠାରୁ ଯାହା ଆଶା କରାଯାଉଥିଲା ସେ ତାହା କରିଛନ୍ତି’ ବୋଲି ସଚିନ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଏଥିସହ ଟିମ୍‌ ପ୍ରତି ଧୋନୀଙ୍କ ପ୍ରତିବଦ୍ଧତାକୁ ମଧ୍ୟ ସଚିନ ପ୍ରଶଂସା କରିଛନ୍ତି। ‘ଟିମ୍‌ ପ୍ରତି ଧୋନୀଙ୍କର ଏହା ପ୍ରତିବଦ୍ଧତା। ଯେଉଁ ସମୟରେ ଯାହା ଆବଶ୍ୟକତା ହେଉଥାଏ ତାହା କରିବାକୁ ହିଁ ପଡ଼ିଥାଏ। ମଙ୍ଗଳବାର ସେ ତାହାହିଁ କରିଛନ୍ତି’ ବୋଲି ମାଷ୍ଟର ବ୍ଲାଷ୍ଟର ଏହି ଅବସରରେ ପ୍ରକାଶ କରିଛନ୍ତି।

Share