ନୂଆଦିଲ୍ଲୀ,୩୦ା୧: ହାମିଲ୍ଟନର ଶେଡନ୍ ପାର୍କରେ ଟିମ୍ ଇଣ୍ଡିଆ ସୁପର୍ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ୍ ଜିତି ଇତିହାସ ରଚିଛି। ତେବେ ସୁପର ଓଭରରେ ଭାରତୀୟ ବୋଲର ଯଶ୍ପ୍ରୀତ୍ ବୁମ୍ରାଙ୍କୁ ବୋଲିଂ ଦାୟିତ୍ୱ ଦେଇଥିଲେ ଅଧିନାୟକ ବିରାଟ କୋହଲି। ସେ ମହଙ୍ଗା ସାବ୍ୟସ୍ତ ହୋଇ ୧୭ ରନ୍ ଦେଇଥିଲେ। ଯଦି କୋହଲିଙ୍କ ସ୍ଥାନରେ ଧୋନୀ ଅଧିନାୟକ ଥାଆନ୍ତେ, ତେବେ ବୁମ୍ରାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା କିମ୍ବା ୟୁଜବେନ୍ଦ୍ର ଚହଲଙ୍କୁ ବୋଲିଂ ଦେଇଥାନ୍ତେ ବୋଲି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ବାଗ କହିଛନ୍ତି। ରୋମାଞ୍ଚକ ପରିସ୍ଥିତିରେ ଧୋନୀଙ୍କ ଉପସ୍ଥିତ ବୁଦ୍ଧି ସବୁବେଳେ କାମରେ ଆସେ। ସେ ବୋଲରଙ୍କୁ ପରିସ୍ଥିତି ଦେଖି ବୋଲିଂ କରିବାକୁ କହିଥାଆନ୍ତି ବୋଲି ସେହ୍ବାଗ କହିଛନ୍ତି।