Categories: ଖେଳ

‘ଧୋନୀ ଭାରତର ସର୍ବକାଳୀନ ଶ୍ରେଷ୍ଠ ଅଧିନାୟକ’

ନୂଆଦିଲ୍ଲୀ, ୧୩।୨ (ପି.ଟି.)- ବେଶ୍‌ କିଛିଦିନ ଧରି କ୍ରିକେଟ୍‌ରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତର ସର୍ବକାଳକୀନ ଶ୍ରେଷ୍ଠ ଅଧିନାୟକ ବୋଲି ଭେଟେରାନ ବ୍ୟାଟ୍ସମ୍ୟାନ ସୁରେଶ ରାଇନା କହିଛନ୍ତି। ଉଭୟ ଧୋନୀ ଓ ରାଇନା ଆଇପିଏଲ୍‌ରେ ସମାନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ପକ୍ଷରୁ ଖେଳୁଛନ୍ତି। ଏଥିରେ ମଧ୍ୟ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି। ତେବେ ଜାତୀୟ ଦଳରୁ ଦୂରେଇ ରହିଥିଲେ ମଧ୍ୟ ଧୋନୀ ଆଇପିଏଲ୍‌ର ଆଗାମୀ ତ୍ରୟୋଦଶ ସଂସ୍କରଣରେ ମଧ୍ୟ ଚେନ୍ନାଇ ସୁପର୍‌ କିଙ୍ଗ୍ସର ନେତୃତ୍ୱ ନେବେ ବୋଲି ଜଣାପଡ଼ିଛି। ‘ମୁଁ ଭାବୁଛି କି ଆମ ପାଖରେ ଶ୍ରେଷ୍ଠ ଅଧିନାୟକ ଥିଲେ, ଯିଏକି ଭାରତୀୟ ଟିମ୍‌କୁ ବଦଳାଇ ଦେଇଥିଲେ। ଏବେମଧ୍ୟ ସେ ଆମ ଡ୍ରେସିଂ ରୁମ୍‌ (ଚେନ୍ନାଇ ସୁପର୍‌ କିଙ୍ଗ୍ସ)ରେ ରହିଛନ୍ତି’ ବୋଲି ଷ୍ଟାର୍‌ ସ୍ପୋଟର୍‌ସ ତାମିଲ ପକ୍ଷରୁ ଅନୁଷ୍ଠିତ ‘ଦି ସୁପର୍‌ କିଙ୍ଗ୍ସ ଶୋ’ ଅବସରରେ ରାଇନା ଏହା କହିଛନ୍ତି। ୩୮ ବର୍ଷୀୟ ଧୋନୀ ପୂର୍ବରୁ ଟେଷ୍ଟରୁ ଅବସର ଘୋଷଣା କରିସାରିଥିବାବେଳେ ଏବେ କେବଳ ସୀମିତ ଓଭର କ୍ରିକେଟ୍‌ ଖେଳୁଛନ୍ତି। ତେବେ ଗତବର୍ଷ ଇଂଲଣ୍ଡରେ ଅନୁଷ୍ଠିତ ଆଇସିସି ବିଶ୍ୱକପ୍‌ ପରଠାରୁ ଧୋନୀ କ୍ରିକେଟ୍‌ରୁ ଦୂରେଇ ଯାଇଛନ୍ତି। ଆଇପିଏଲ୍‌ରେ ସେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ମାର୍ଚ୍ଚ ୨୩ରୁ ଚେନ୍ନାଇ ଏହାର ଅଭିଯାନ ଆରମ୍ଭ କରିବ।

Share