Categories: ଖେଳ

‘ଧୋନୀ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଉଚିତ୍‌’

ମୁମ୍ବାଇ, ୨୯।୬(ପି.ଟି.)-ଚଳିତ ବିଶ୍ୱକପ୍‌ର ବଳକା ମ୍ୟାଚ୍‌ ଲାଗି ଭାରତୀୟ ଦଳର ବରିଷ୍ଠ ଖେଳାଳି ମହେନ୍ଦ୍ର ସିଂ ଧୋନୀ ଗୁରୁତ୍ୱପୂର୍ଣ୍ଣ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ଉଚିତ୍‌ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଡିନ୍‌ ଜୋନ୍ସ କହିଛନ୍ତି। ନିକଟରେ ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସ୍ଲୋ-ଇନିଂସ ଖେଳି ଧୋନୀ ବେଶ୍‌ ସମାଲୋଚନାର ଶିକାର ହୋଇଥିଲେ। କିନ୍ତୁ ଜୋନ୍ସ କହିଛନ୍ତି, ବିଜୟ ଶଙ୍କରଙ୍କ ସ୍ଥାନରେ ୩୭ ବର୍ଷୀୟ ଧୋନୀ ୪ ନମ୍ବରରେ ବ୍ୟାଟିଂ କରିବା ଉଚିତ୍‌। ସେହିଭଳି ବାମହାତୀ ସ୍ପିନ-ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଚୂଡ଼ାନ୍ତ ଏକାଦଶରେ ନିଶ୍ଚିତ ସାମିଲ କରାଯିବା ଆବଶ୍ୟକ। ‘ଟୁର୍ନାମେଣ୍ଟ ଆଗକୁ ବଢ଼ିବା ସହ ପିଚ୍‌ଗୁଡ଼ିକ ଅଧିକ ଡ୍ରାଏ ହୋଇଯାଇଥାଏ। ତେଣୁ ନିମ୍ନକ୍ରମରେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଦଳ ପାଇଁ ନିହାତୀ ଦରକାର। ଏଥିସହ ଜାଡେଜା ଜଣେ ସ୍ପିନ ବିକଳ୍ପ ମଧ୍ୟ ହୋଇପାରିବେ’ ବୋଲି ଜୋନ୍ସ କହିଛନ୍ତି। ଅପରପକ୍ଷରେ ପ୍ରାକ୍ତନ ଅଲ୍‌ରାଉଣ୍ଡର ଇର୍ଫାନ ପଠାନ ୪ ନମ୍ବର ସ୍ଥାନ ପାଇଁ ଦୀନେଶ କାର୍ତ୍ତିକଙ୍କୁ ପସନ୍ଦ କରିଛନ୍ତି। ‘ବହୁତ ଲୋକଙ୍କ ଚିନ୍ତାଧାରା ଥାଏ କି, ବିଜୟୀ କମ୍ବିନେଶନରେ ପରିବର୍ତ୍ତନ କରିବା ଆବଶ୍ୟକ ନୁହେଁ। କିନ୍ତୁ ମୋର ଭିନ୍ନ ଚିନ୍ତାଧାରା। ବିଜୟ ଶଙ୍କରଙ୍କୁ ଆବଶ୍ୟକ ସୁଯୋଗ ଦିଆଯାଇଛି ଏବଂ ସେ ଏହାର ସଦୁପଯୋଗ କରିପାରି ନାହାନ୍ତି। ଯଦି ଆମେ ସେମିଫାଇନାଲ ଖେଳିବାର ନିକଟତର ହୋଇସାରିଲୁଣି ତେଣୁ ଆମେ ଏକ ଶ୍ରେଷ୍ଠ ବୋଲିଂ ଲାଇନ୍‌ଅପ୍‌ ଥିବା ଦଳକୁ ସାମ୍ନା କରିବା ନିଶ୍ଚିତ। ଆମେ ଯଦି ଆରମ୍ଭରୁ ୩/୪ ଉଇକେଟ୍‌ ହରାଇଦେଉ ତେବେ ୪ ନମ୍ବର ସ୍ଥାନରେ ଜଣେ ଦକ୍ଷ ବ୍ୟାଟ୍ସମ୍ୟାନଙ୍କ ଆବଶ୍ୟକତା ହୋଇଥାଏ ଏବଂ ଏହି ପୋଜିସନ ଲାଗି କାର୍ତ୍ତିକଙ୍କୁ ପସନ୍ଦ କରିବି’ ବୋଲି ପଠାନ କହିଛନ୍ତି। ୪ ନମ୍ବର ସ୍ଥାନରେ ଖାପଖୁଆଇବା ପାଇଁ ସେମିଫାଇନାଲ ପୂର୍ବରୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅତିକମ୍‌ରେ ୩ଟି ଇନିଂସ ଖେଳିବାର ସୁଯୋଗ ଦିଆଯିବା ଆବଶ୍ୟକ ବୋଲି ଏକ ସାକ୍ଷାତକାର ଅବସରରେ ପଠାନ କହିଛନ୍ତି।

Share