ଧ୍ୱଂସ ମୁଖରେ ଗିରି ଗୋବର୍ଦ୍ଧନ ପାହାଡ଼

ରଣପୁର,୫।୧୨(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ତହସିଲ କୁଳାସର ପଞ୍ଚାୟତ ନୀଳପଲ୍ଲୀ ଗଁ। ନିକଟରେ ରହିଛି ଗିରି ଗୋବର୍ଦ୍ଧନ ପାହାଡ । ଏହି ଐତିହ୍ୟ ସମ୍ପନ୍ନ ପାହାଡକୁ ଡିନାମାଇଟ୍‌ ଲଗାଇ ବିସ୍ଫୋରଣ କରାଯାଇ ପଥର ଚାଲାଣ ହେଉଛି। ଫଳରେ କଳା ମୁଗୁନି ପଥରର ପାହାଡଟି ଧ୍ୱଂସ ହେବାକୁ ବସିଛି । ଅନ୍ୟପକ୍ଷେ ବେଆଇନ ବ୍ଲାଷ୍ଟିଂ ଯୋଗୁ ପଥର ଖଣ୍ଡ ନିକଟରେ ଥିବା ଘର ଉପରେ ପଡି କ୍ଷତି ଘଟାଉଛି। ସେହିପରି ବ୍ଲାଷ୍ଟିଂ ସମୟରେ ମୃଦୁ ଭୂମିକମ୍ପ ପରି ଅନୁଭୂତ ହେଉଛି । ପୁଣି ଜମିର ଫସଲ ନଷ୍ଟ ହେବାରେ ଲାଗିଛି । ଏହି ପାହାଡର ନିଲାମ ଅବଧି ଚାଲି ଯାଇଥିଲେ ମଧ୍ୟ ବେଆଇନ ବ୍ଲାଷ୍ଟିଂ ଚାଲିଥିବାବେଳେ ପ୍ରଶାସନର ଲଗାମ ରହୁନି ।
ଗୋବର୍ନ୍ଧନ ପାହାଡରେ ରହିଛନ୍ତି ଗିରି ଗୋବର୍ଦ୍ଧନ ଠାକୁର । ଯେତେବେଳେ ବର୍ଷା ନ ହୁଏ ସେତେବେଳେ ନୀଳଗିରି ଓ ଆଖପାଖ ଅଞ୍ଚଳର ଲୋକେ ପାହାଡକୁ ଯାଇ ଠାକୁରଙ୍କୁ ପୂଜାର୍ଚ୍ଚନା କରନ୍ତି । ଆଉ ବର୍ଷା ମଧ୍ୟ ହୋଇଥାଏ ବୋଲି ବିଶ୍ୱାସ ରହିଛି। ପୁଣି ଗଁାରେ ଗୋଚର ଜମିର ଅଭାବ ହେତୁ ଜଙ୍ଗଲକୁ ଗୃହପାଳିତ ପ୍ରାଣୀ ଚରିବାକୁ ଯାଇଥାନ୍ତି। ହେଲେ ବ୍ଲାଷ୍ଟିଂ ଯୋଗୁ ପାହାଡକୁ ଗୋରୁ ଯାଇ ପାରୁ ନାହାନ୍ତି। ଗଁା ନିକଟରେ ପାହାଡ ଥିବାରୁ ବିସ୍ଫୋରଣ ସମୟରେ ପଥର ଖଣ୍ଡ ପଡି ବେଳେ ବେଳେ ସ୍ଥାନୀୟ ଲୋକେ ଆହତ ହେଉଛନ୍ତି। ବ୍ଲାଷ୍ଟିଂର ପ୍ରଭାବରେ ଘର ଥରିବା ପରି ଲାଗୁଛି । ଏ ସମ୍ପର୍କରେ ଗ୍ରାମବାସୀ ବିନୋଦ ସାହୁ, କୃଷ୍ଣଚନ୍ଦ୍ର ମହାନ୍ତି, ବନମାଳୀ ମହାନ୍ତି, ରବୀନ୍ଦ୍ର ନାୟକ, ପୁଷ୍ପଲତା ବାରିକ, ରଶ୍ମିତା ମଞ୍ଜରୀ ବେହେରା ପ୍ରମୁଖ ଅଭିଯୋଗ କରି କୁହନ୍ତି ଯେ,ପୂର୍ବରୁ କିଛି ଲୋକ ହାତରେ ପଥର ଭାଙ୍ଗୁଥିଲେ । ତେବେ ପ୍ରାୟ ୪ବର୍ଷ ହେଲା ନିଲାମ ଦିଆ ଯାଉଛି । ନିଲାମଧାରୀ ବ୍ଲାଷ୍ଟିଂ କରି ପଥର ଫଟାଉଥିବାରୁ ଗଁାଲୋକ ବିରୋଧ କରି ଆସଥିଲେ ମଧ୍ୟ ସେମାନଙ୍କ ଅଭିଯୋଗକୁ ଅଣଦେଖା କରାଯାଉଛି । ସେହିପରି ନିଲାମ ନ ହୋଇବି ବେଆଇନ ଭାବେ ବ୍ଲାଷ୍ଟିଂ ଚାଲିଛି । ଏହାକୁ ବନ୍ଦ କରିବାକୁ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ତେବେ ପ୍ରଶାସନ ବେଆଇନ ବ୍ଲାଷ୍ଟିଂଙ୍କୁ ବନ୍ଦ କରିବା ବଦଳରେ ପୁଣି ଏହାକୁ ନିଲାମ ଦେବାକୁ ପ୍ରଚେଷ୍ଟା କରୁଛି । ସରକାର ଲୋକଙ୍କ ସୁବିଧାକୁ ନ ଦେଖି ଅସୁବିଧା ସୃଷ୍ଟି କରୁଥିବା ସେମାନେ କ୍ଷୋଭର ସହ କହିଛନ୍ତି। ଏ ସମ୍ପର୍କରେ ଉପ ଜିଲାପାଳ ଲଗ୍ନଜିତ୍‌ ରାଉତ କୁହନ୍ତି, ଗ୍ରାମବାସୀଙ୍କ ଠାରୁ କୌଣସି ଅଭିଯୋଗ ପତ୍ର ମିଳିନାହିଁ। ତେବେ ଗିରିଗୋର୍ଦ୍ଧନ ପାହାଡ ଉପରେ ବ୍ଲାଷ୍ଟିଂ କରା ନ ଯିବା ପ୍ରତି ଦୃଷ୍ଟି ଦିଆଯିବ।

Share