Categories: ଖେଳ

ନଂ ୧ ସ୍ଥାନକୁ ଫେରିଲେ ନାଡାଲ

ପ୍ୟାରିସ୍‌,୫।୧୧ – ସ୍ପେନ୍‌ ଅଭିଜ୍ଞ ଟେନିସ ଖେଳାଳି ରାଫାଲ ନାଡାଲ ଦୀର୍ଘ ଏକ ବର୍ଷ ପରେ ଏଟିପି ର଼୍ୟାଙ୍କିଙ୍ଗ୍‌ର ଏକ ନମ୍ବର ସ୍ଥାନକୁ ଫେରିଛନ୍ତି। ପ୍ୟାରିସ ମାଷ୍ଟର୍ସ ସେମିଫାଇନାଲରେ ପ୍ରବେଶ କରି ସେ ସୋମବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ଉଠିଛନ୍ତି। ତଳିପେଟରେ ଯନ୍ତ୍ରଣା କାରଣରୁ ସେ କାନାଡ଼ାର ଡେନିସ ଶାପାଭାଲୋଭଙ୍କ ବିପକ୍ଷ ସେମିଫାଇନାଲ ମ୍ୟାଚ୍‌ରୁ ଓହରିଯାଇଥିଲେ। ଆସନ୍ତାକ ୧୦ରୁ ୧୭ ତାରିଖ ମଧ୍ୟରେ ଏଟିପି ଫାଇନାଲ୍ସ ଖେଳାଯିବାର କାର୍ଯ୍ୟକ୍ରମ ଥିବାରୁ ସେ କୌଣସି ରିସ୍କ ନେବାକୁ ଚାହିଁ ନ ଥିଲେ। ଫଳରେ ସେ ସେମିରୁ ଓହରିଯିବାକୁ ଶ୍ରେୟସ୍କର ମଣିଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ନଂ ୧ ସ୍ଥାନକୁ ଉଠିବାର ସଫଳ ହୋଇଛନ୍ତି। ୩୩ ବର୍ଷୀୟ ନାଡ଼ାଲ ଦ୍ୱିତୀୟ ବୟୋଜ୍ୱୋଷ୍ଠ ଖେଳାଳି ଭାବେ ଶୀର୍ଷକୁ ଉଠିଛନ୍ତି। ପୂର୍ବରୁ ସୁଇଜରଲାଣ୍ଡର ରୋଜର ଫେଡେରର ୩୬ ବର୍ଷ ବୟସରେ ୨୦୧୮ ଏଟିପି ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନ ହାସଲ କରିଥିଲେ।

Share