ନଏଡା,୧୩।୪: ଉତ୍ତରପ୍ରଦେଶର ଗୌତମ ବୁଦ୍ଧ ନଗର ଜିଲାର ୨ଜଣ ବ୍ୟକ୍ତି କରୋନାରେ ସୁସ୍ଥ ହେବା ପରେ ପୁଣି ଥରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏହାପରେ ସେମାନଙ୍କୁ ଗ୍ରେଟର ନଏଡାର ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨ଜଣ ରୋଗୀଙ୍କ ରକ୍ତ ନମୁନା ଚର୍ତୁଥ ଥର ଯାଞ୍ଚ ପାଇଁ ପଠାଯାଇଛି। ସୂଚନାଯୋଗ୍ୟ, ନଏଡାର ସେକ୍ଟର-୧୩୭ ଅଞ୍ଚଳରେ ରହୁଥିବା ୨୧ ବର୍ଷୀୟ ଯୁବତୀ ଓ ସେକ୍ଟର-୧୨୮ର ଯୁବକଙ୍କ ୨ଟି ଯାଞ୍ଚ ରିପୋର୍ଟ ନେଗେଟିଭ୍ ଆସିବା ପରେ ପୁଣି ଥରେ କରୋନା ଭାଇରସ୍ରେ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଗତ ୩ ଦିନ ତଳେ ୨ଜଣଙ୍କୁ ଚିକିତ୍ସା କରାଯାଇ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା। ହେଲେ ପୁଣି ଥରେ ସଂକ୍ରମିତ ହେବାରୁ ଦୁହିଁଙ୍କୁ ଜିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି। ସେହିପରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇ କ୍ୱାରାଣ୍ଟାଇନ୍ରେ ରଖାଯାଇଛି। କରୋନା ସଂକ୍ରମଣରେ ସୁସ୍ଥ ହେବା ପରେ ରୋଗୀ ପୁଣି ଥରେ ସଂକ୍ରମିତ ହେବା ଘଟଣା ଏବେ ଡାକ୍ତରଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ହୋଇଥିବା ବେଳେ ସେମାନଙ୍କ ସମ୍ମୁଖରେ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଅପରପକ୍ଷେ ଏହା କେଉଁ କାରଣରୁ ହେଉଛି ସେନେଇ ବିଶେଷଜ୍ଞ ତଥ୍ୟ ଖୋଜିବାରେ ଲାଗିପଡ଼ିଛନ୍ତି।