ନକଲି ଅଟା କାରଖାନା ଉପରେ ଚଢ଼ାଉ: ମେଶିନ ଜବତ, ଅଭିଯୁକ୍ତ ଅଟକ

ଯାଜପୁର ଅଫିସ,୧୭ା୧୨- ଯାଜପୁର ଟାଉନ ପୋଲିସ ପକ୍ଷରୁ ସୋମବାର ଏକ ନକଲି ଅଟା କାରଖାନା ଉପରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବିଭିନ୍ନ ବ୍ରାଣ୍ଡର ନକଲି ଅଟା ଜବତ କରାଯାଇଛି। ଏ ନେଇ ନକଲି ଅଟା କାରଖାନା ମାଲିକ କେଶବଚନ୍ଦ୍ର ପାଣିଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଯାଜପୁର ଟାଉନ ଥାନାରେ ୪୨୦,୪୮୩ ଆଇପିସି(କେସ ନମ୍ବର ୩୯୭) ଏବଂ ୬୩ କପିରାଇଟ ଆକ୍ଟ-୧୯୫୭ରେ ଏକ ମାମଲା ରୁଜୁ ହୋଇଛି। ସୂଚନାଯୋଗ୍ୟ ଯେ, ପରିବାର ଅଟା କମ୍ପାନୀର ଡିଟେକ୍ଟିଭ ସ୍କ୍ବାଡ ଓ ଯାଜପୁର ଥାନା ପୋଲିସ ଦେବୀଦ୍ୱାର ଗ୍ରାମର କେଶବ ଚନ୍ଦ୍ର ପାଣିଙ୍କ ଅଟାକଳ ଉପରେ ଚଢାଉ କରିଥିଲେ। ଚଢାଉରେ ପରିବାର କମ୍ପାନୀ ସମେତ ଆଶୀର୍ବାଦ ଅଟାର ପ୍ୟାକେଟ ମଧ୍ୟ ଠାବ କରାଯାଇଥିଲା। ପୋଲିସ ଖୋର୍ଦ୍ଧାର ଜାଆଁଳାଠାରେ ଥିବା ଉକ୍ତ ଅଟା କମ୍ପାନୀର ୨୭୦ଟି ବିଭିନ୍ନ ସାଇଜର ଅଟା ପ୍ୟାକେଟ ଜବତ କରିଥିବାବେଳେ ଆଶୀର୍ବାଦ ଅଟା କମ୍ପାନୀର ୨୮୦ ପ୍ୟାକେଟ ୧ କିଲୋ ବିଶିଷ୍ଟ ନକଲି ଅଟା ଓ ୬୫ ପ୍ୟାକେଟ ୫ କିଲୋ ବିଶିଷ୍ଟ ଅଟାକୁ ମଧ୍ୟ ଜବତ କରିଥିଲା। ଏଥିସହିତ ଅଟା ପ୍ରସ୍ତୁତ ହେଉଥିବା ମେଶିନକୁ ପୋଲିସ ଜବତ କରିବା ସହିତ ଅଟାକଳ ମାଲିକ କେଶବଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି। ଚଢାଉରେ ଯାଜପୁର ଥାନାଧିକାରୀ ଆଶିଷ କୁମାର ସାହୁଙ୍କ ସମେତ କଳ୍ପତରୁ ସାହୁ, ଅଟା କମ୍ପାନୀ ସ୍କ୍ବାଡର ସଭ୍ୟ ଶଙ୍କର କୁମାର ଦାସ ଓ ରାଜେଶ ଭାରତୀ ସାମିଲ ଥିଲେ।

Share