ନକଲି ଅଳଙ୍କାର ଦେଇ ଲକ୍ଷାଧିକ ଟଙ୍କା ଠକେଇ

ଛେଣ୍ଡିପଦା,୪।୮(ଡି.ଏନ.ଏ.)-ନକଲି ଅଳଙ୍କାର ଦେଇ ୨ ଅଣଓଡ଼ିଆ ଯୁବକ ଶନିବାର ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ଠକେଇ କରି ଫେରାର ହୋଇଯାଇଛନ୍ତି। ଠକେଇର ଶିକାର ହୋଇଛନ୍ତି ଅନୁଗୋଳ ଜିଲା ଜରପଡା ଥାନା କଞ୍ଜରା ମୁଣ୍ଡାସାହି ଗ୍ରାମର ଯୁବ ବ୍ୟବସାୟୀ ଶ୍ରୀବତ୍ସ ସାହୁ। ଏ ନେଇ ଶ୍ରୀବତ୍ସ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ପୋଲିସ କହିଛି, କଞ୍ଜରା ମୁଣ୍ଡାସାହି ଛକଠାରେ ଶ୍ରୀବତ୍ସଙ୍କ ଏକ ଲୁଗା ଦୋକାନ ରହିଛି। ଗତ କିଛିଦିନ ତଳେ ଶ୍ରୀବତ୍ସଙ୍କ ସହ ଉକ୍ତ ଅଣ ଓଡ଼ିଆ ଯୁବକଙ୍କ ପରିଚିତ ହୋଇଥିଲା। ପୂର୍ବ କଥାବାର୍ତ୍ତା ଅନୁଯାୟୀ ଶନିବାର ଉକ୍ତ ଅଣ ଓଡ଼ିଆ ଯୁବକ ଦ୍ୱୟ ବଇଣ୍ଡା ରେଲୱେ ଷ୍ଟେଶନ ପାଖକୁ ଆସିଥିଲେ। ପରେ ଶ୍ରୀବତ୍ସ ସେଠାରେ ପହଞ୍ଚିଥିଲେ। ଏହାପରେ ସେମାନେ ଶ୍ରୀବତ୍ସଙ୍କୁ ଏକ ସୁନା ହାର ଓ ରୂପା ଦେଇଥିଲେ। ପ୍ରତି ବଦଳରେ ୧ ଲକ୍ଷ ୩୦ ହଜାର ଟଙ୍କା ଶ୍ରୀବତ୍ସଙ୍କଠାରୁ ନେଇ ଏକ ପାସେଞ୍ଜର ଟ୍ରେନ ଯୋଗେ ସମ୍ବଲପୁର ଅଭିମୁଖେ ପଳାଇ ଯାଇଥିଲେ। ତେବେ ଉକ୍ତ ଅଳଙ୍କାରକୁ ଶ୍ରୀବତ୍ସ ପରୀକ୍ଷା କଲାପରେ ତାହା ନକଲି ବୋଲି ଜଣାପଡ଼ିଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି।