ନକଲି କାଗଜପତ୍ରରେ ଋଣ, ୨୯ ଲକ୍ଷ ୪୦ ହଜାର ଟଙ୍କା ହଡ଼ପ : ଫାଇନାନ୍ସ କମ୍ପାନୀର ୨ କର୍ମଚାରୀ ଗିରଫ

ସମ୍ବଲପୁର,୮।୭(ବ୍ୟୁରୋ) : ସ୍ପନ୍ଦନ ନାମକ ଫାଇନାନ୍ସ କମ୍ପାନୀର ୨ଜଣ ଅଧିକାରୀ କମ୍ପାନୀର ୨୯ ଲକ୍ଷ ୪୦ ହଜାର ୬୫ ଟଙ୍କା ଠକେଇ କରିଛନ୍ତି। ସେମାନେ ହେଲେ ଝାରସୁଗୁଡ଼ା ଜିଲା ଲଇକେରା ବ୍ଲକ ଝରିଆବାହାଲର ହେମସାଗର ମରେଇ (୨୭) ଓ କେନ୍ଦୁଝର ଜିଲା ଠେଲକଲୋଇ ଗ୍ରାମର ସୁଧାଂଶୁ ଶେଖର ସାହୁ (୨୭)। ଅଭିଯୋଗ ପରେ ଘଟଣାର ପର୍ଦ୍ଦାଫାଶ କରିଛି ସମ୍ବଲପୁର ଜିଲା ଅଇଁଠାପାଲି ଥାନା ପୋଲିସ। ବିଭିନ୍ନ ଅଞ୍ଚଳର ୮୯ ଜଣ ମହିଳାଙ୍କ ନାମରେ ନକଲି କାଗଜପତ୍ର ଦେଇ ଅଭିଯୁକ୍ତ ଦ୍ୱୟ ଟଙ୍କା ଠକି ନେଇଥିବା ପୋଲିସ ଜାଣିବାକୁ ପାଇଛି। ପୋଲିସ ଏ ନେଇ ଏକ ମାମଲା (ନଂ. ୨୭୨/୧୯) ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରିଛି।
ହେମସାଗର ସ୍ପନ୍ଦନ କମ୍ପାନୀର ସମ୍ବଲପୁର ଶାଖା ପରିଚାଳକ ଥିବାବେଳେ ସୁଧାଂଶୁ ଫିଲ୍ଡ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତେବେ ଏଠାରେ ନୂତନ ଶାଖା ପରିଚାଳକ ଭାବେ ରଞ୍ଜିତ କୁମାର ବେହେରା ଯୋଗଦେବା ପରେ ୮୯ ଜଣ ମହିଳାଙ୍କ ନାମରେ ଋଣଥିବା ଜାଣିବାକୁ ପାଇଥିଲେ। ସେମାନେ ଟଙ୍କାଟିଏ ମଧ୍ୟ ପରିଶୋଧ କରି ନ ଥିଲେ। ଫଳରେ ରଞ୍ଜିତ ଉକ୍ତ ମହିଳାମାନଙ୍କ ପାଖକୁ ଯାଇ ଋଣ ପରିଶୋଧ କରିବାକୁ କହିଥିଲେ। ହେଲେ ମହିଳାମାନେ ଋଣ ନେଇ ନ ଥିବା କହିଥିଲେ। ପରେ ରଞ୍ଜିତ କାଗଜପତ୍ର ଯାଞ୍ଚ କରିଥିଲେ। ଏଥିରେ ମହିଳାମାନଙ୍କ ଦସ୍ତଖତ ନ ଥିବା ଜଣାପଡ଼ିଥିଲା। ଏ ନେଇ ସେ ଅଇଁଠାପାଲି ଥାନାରେ ଅଭିଯୋଗ କରିଥିଲେ।