ନକଲି ଜର୍ଦ୍ଦା କାରଖାନା ଠାବ: ଜଣେ ଗିରଫ

ଭଦ୍ରକ ଅଫିସ, ୨୫ା୧୧- ଭଦ୍ରକ ପୁରୁଣାବଜାର ଥାନା ପୋଲିସ ସୋମବାର ମଧ୍ୟାହ୍ନରେ ମିର୍ଜାପୁର ଚିଡ଼ିଆମାରପଦାରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି। ସେଠାରୁ ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ନକଲି ଜର୍ଦ୍ଦା ସମେତ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି ପୋଲିସ। ଜବତ ସାମଗ୍ରୀ ମଧ୍ୟରେ ବିଭିନ୍ନ ନାମୀଦାମୀ କମ୍ପାନୀର ହଲୋଗ୍ରାମ୍‌, ପ୍ୟାକିଂ ମେଶିନ, ଏସେନ୍ସ ଆଦି ରହିଛି। ଏହି ନକଲି କାରଖାନା ଚଳାଉଥିବା ଯୁବକ ଶେଖ୍‌ ବବୁଲ୍‌ଙ୍କୁ ପୋଲିସ ଗିରଫ କରିବା ସହ ତାଙ୍କର ଏକ ବାଇକ୍‌ ଜବତ କରିଛି। ଏ ନେଇ ପୁରୁଣାବଜାର ଥାନାରେ ଏକ ମାମଲା(ନଂ.୨୪୧/୧୯) ରୁଜୁ କରାଯାଇ ସନ୍ଧ୍ୟାରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।
ପୁରୁଣାବଜାର ଥାନାଧିକାରୀ ରତିକାନ୍ତ ଗିରିଙ୍କ ସୂଚନା ଅନୁସାରେ, ଶେଖ୍‌ ବବୁଲ୍‌ ଦୀର୍ଘଦିନ ଧରି ଏହି ନକଲି ଜର୍ଦ୍ଦା କାରଖାନା ଚଳାଇ ଆସୁଥିଲେ। କଲିକତା ଅଞ୍ଚଳରୁ ନକଲି ସାମଗ୍ରୀ ଆଣି ଅସଲି ଖୋଳରେ ପ୍ୟାକିଂ କରି ଜିଲା ଓ ଜିଲା ବାହାରକୁ ବିକ୍ରି କରିଆସୁଥିଲେ। ଥାନାର ସାଦା ପୋଷାକଧାରୀ ଏକ ଟିମ୍‌ର ଅନୁଧ୍ୟାନ ପରେ ଏହି ଚଢ଼ାଉ କରାଯାଇଥିଲା। ସମ୍ପୃକ୍ତ ଜର୍ଦ୍ଦା କମ୍ପାନୀର ବହୁ ଅଧିକାରୀ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି। ଉଲ୍ଲେଖନୀୟ ଯେ, ପୂର୍ବରୁ ଏହି ଅଞ୍ଚଳରେ ୮ରୁ ଊର୍ଦ୍ଧ୍ୱ ନକଲି ଜର୍ଦ୍ଦା କାରଖାନା ଠାବ ହୋଇସାରିଥିବା ବେଳେ ଏଥିରେ ସମ୍ପୃକ୍ତ ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଗିରଫ ହୋଇଛନ୍ତି। ତଥାପି ପୋଲିସ ଆଖିରେ ଧୂଳି ଦେଇ କେତେଜଣ ବ୍ୟବସାୟୀ ନକଲି ଜର୍ଦ୍ଦା କାରଖାନା ଚଳାଇ ଆସୁଥିବା ଜଣାପଡ଼ିଛି।