ନକଲି ଡିଏଲ୍‌ ପ୍ରସ୍ତୁତକାରୀ ଦୋକାନ ଠାବ: ବିଭିନ୍ନ ସାମଗ୍ରୀ ଜବତ, ୨ ଗିରଫ

ବଡ଼ବିଲ,୧୯।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଏମଭି ତନଖି କରୁଥିବାବେଳେ ନକଲି ଡ୍ରାଇଭିଂ ଲାଇସେନ୍ସ ଏବଂ ଏକ ବାଇକ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଛି। ପୋଲିସ ତନାଘନା ସମୟରେ ନକଲି ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରୁଥିବା ପାଟଣା ଥାନା ମଲ୍ଲୀପଶିର କମ୍ପ୍ୟୁଟର ଦୋକାନ ଠାବ କରି ପ୍ରସ୍ତୁତକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୟ ହେଲେ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳର ବାଇକଚାଳକ ଗୁରୁଦେବ ଗୁପ୍ତା ଓରଫ ଛୋଟୁ ଏବଂ ପାଟଣା ଥାନା ମଲ୍ଲୀପଶି ଅଞ୍ଚଳର ଡିଏଲ ପ୍ରସ୍ତୁତକାରୀ ସୁଶାନ୍ତ କୁମାର ବେଜ ଓରଫ ଲୁଲୁ। ଏଥିସହିତ ପୋଲିସ ବାଇକ, ମୋବାଇଲ, କମ୍ପ୍ୟୁଟର, ପ୍ରିଣ୍ଟର, ଡିଏଲ, ଫଟୋ ପେପର ଆଦି ଜବତ କରିଛି।